ବରିଷ୍ଠ କଂଗ୍ରେସ ନେତା ଅହମଦ୍ ପଟେଲଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ ପ୍ରକାଶ।

0 1,082

ନୂଆଦିଲ୍ଲୀ: ଗତମାସରେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍‌ଙ୍କର ବୁଧବାର ପାହାନ୍ତାରେ ଦେହାନ୍ତ ହୋଇଯାଇଛି। ଶରୀରର ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପୁଅ ଫୈସଲ୍‌ ପଟେଲ୍‌ ଟୁଇଟ୍‌ରେ ଘୋଷଣା କରିଛନ୍ତି। ଗୁଜରାଟର ଜଣେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ କୋଷାଧ୍ୟକ୍ଷ ପଟେଲ୍‌ ଆଠ ଥର ସାଂସଦ ହୋଇଥିଲେ। ୧୯୭୬ ମସିହାରେ ଗୁଜରାଟର ଭରୁଚ ଜିଲ୍ଲାରେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିବା ପଟେଲ୍‌ ତିନି ଥର ଲୋକସଭା ଏବଂ ପାଞ୍ଚଥର ରାଜ୍ୟସଭା ସାଂସଦ ହୋଇଥିଲେ। ମଧ୍ୟବର୍ତ୍ତୀକାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସେ ଜଣେ ଘନିଷ୍ଠ ସହଯୋଗୀ ବୋଲି ବିବେଚନା କରାଯାଉଥିଲା। ପଟେଲଙ୍କ ମୃତ୍ୟୁ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି, ଅହମଦ୍‌ ପଟେଲ୍‌ ଜୀଙ୍କ ତିରୋଧାନରେ ଦୁଃଖିତ। ସମାଜ ଓ ଜନତାଙ୍କ ସେବାରେ ସେ ଅନେକ ବର୍ଷ ବିତାଇଥିଲେ। ତୀକ୍ଷ୍ଣ ଧୀଶକ୍ତି ନିମନ୍ତେ ଜଣାଶୁଣା ପଟେଲ୍‌ କଂଗ୍ରେସ ପାର୍ଟିକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ନିମନ୍ତେ ସ୍ମରଣୀୟ ହୋଇ ରହିବେ। ତାଙ୍କ ପୁଅ ଫୈସଲ୍‌ ସହ କଥା ହୋଇ ସମବେଦନା ଜଣାଇଛି। ଅହମଦ୍‌ ଭାଇଙ୍କ ଆତ୍ମା ଶାନ୍ତିରେ ରହୁ। କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶୋକବ୍ଯକ୍ତ କରିଛନ୍ତି।

Leave A Reply

Your email address will not be published.