ମାଲକାନଗିରି,ତା:୩୦/୦୯(ପିପିଟି); ଗୋବିନ୍ଦ ପଲ୍ଲୀ ବନ କର୍ମଚାରୀମାନେ କୌଣସି ସୂତ୍ରରୁ ସୂଚନା ପାଇ ମାଡକାଗୁଡା ପଞ୍ଚାୟତ ଅନ୍ତର୍ଗତ ସମାକୁଣ୍ଡ ଗ୍ରାମରେ ପହଞ୍ଚି ବରାହ ଶିକାର କରି ଘରେ ମାଂସ ରାନ୍ଧୁଥିବା ବେଳେ ଜଣେ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,ଗୋବିନ୍ଦ ପଲ୍ଲୀ ଘାଟି ଅଞ୍ଚଳଟି ଘନ ଜଙ୍ଗଲରେ ପରିପୂର୍ଣ । ଏଠି ଅନ୍ଯାନ୍ଯ ବନ୍ଯ ପ୍ରାଣୀ ସହ ବରାହ ଜନ୍ତୁ ଅଧିକାଂଶ ଦୃଷ୍ଟି ଗୋଚର ହୋଇ ଥାଏ । କନ୍ତୁ ବରାହ ମାଂସ ଖାଇବା ଲାଗି କେଉଁ ଆଦିମ କାଳରୁ ଆଦିବାସୀମାନେ ବିଭିନ୍ନ ଉପାୟରେ ଶିକାର କରିଥାନ୍ତି । କେତେବେଳେ ପର୍ବ ପର୍ବାଣୀ ନାମରେ ଜଙ୍ଗଲରେ ବନ୍ଯ ପ୍ରାଣୀକୁ ଶିକାର କରିବା ଏକ ପ୍ରଥା ଓ ପରମ୍ପରାର ଭାବେ ଆଦିବାସୀ ସମାଜରେ ଆଦ୍ରୁତ ଲାଭ କରିଆସିଛି । ଜନ ସଚେତନତା ଯୋଗୁଁ ନିରିହ ବନ୍ଯ ପ୍ରାଣୀଙ୍କ ଜୀବନ ଶିକାରୀମାନଙ୍କ ଦ୍ବାରା ଶିକାର ହେବାକୁ ପଡିଥାଏ । ଜଙ୍ଗଲୀ ପଶୁ ମାଂସକୁ କେତେକ ଲୋକ ଖାଇବା ପାଇଁ ପ୍ରବଳ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ପଶୁମାନଙ୍କୁ ବିଭିନ୍ ଉପାୟରେ ବଦ୍ଧ କରିଥାନ୍ତି । ବରାହ ଶିକାର କରିବା ପାଇଁ କେତେକ ବ୍ଯକ୍ତି ବାରୁଦ ଗୁଳାରେ ଗୁଡ ସାମଗ୍ରୀ ବୋଳି ବରାହ ଯାତାୟତ ମାର୍ଗରେ ରଖି ଦେଇଥାନ୍ତି । ବରାହ ଖାଦ୍ଯ ଅନ୍ବେଷଣରେ ଯାଇ ଶିକାରୀ ଦ୍ବାରା ରଖାଯାଇଥିବା ଗୁଡ ବୋଳା ବାରୁଦ ଗୁଳାକୁ ଖାଇବାକୁ ଯାଇ ପ୍ରଚଣ୍ଡ ବିସ୍ଫୋରଣରେ ମତ୍ଯୁ ବରଣ କରିଥାନ୍ତି । ଶିକାରୀମାନେ ବରାହ ମାଂସ ନିଜେ ଖାଇ ଲୁଚା ଚୋରାରେ ବିକ୍ରୟ କରି ଦୁଇ ପଇସା ଲାଭାନ୍ମିତ ହୋଇଥାନ୍ତି । ଏ ଭଳି ଅଭିନବ ଉପାୟ ଅବଲମ୍ବନ କରିବା ଫଳରେ ଗୋବିନ୍ଦ ପଲ୍ଲୀ ଅଞ୍ଚଳରେ ବରାହମାନଙ୍କ ସଂଖ୍ଯା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ପୂର୍ବ ପରି ଏ ଅଞ୍ଚଳରେ ବରାହ ବହୁଳ ପରିମାଣରେ ଦେଖିବାକୁ ମିଳୁ ନାହିଁ । ପ୍ରାପ୍ର ସୂଚନା ଅନୁସାରେ ଗତ କାଲି ମାଡକାଗୁଡା ପଞ୍ଚାୟତ ଅନ୍ତର୍ଗତ ସମାକୁଣ୍ଡ ଗ୍ରାମର ସନିଆ ମୁଦୁଲି ବାରୁଦ ଗୁଳାରେ ଗୁଡ ବୋଳି ଏକ ବରାହକୁ ଶିକାର କରି ନିଜ ଘରେ ୫ କେଜି ମାଂସ ରାନ୍ଧନ କରୁଥିବା ବେଳେ ୬ କେଜି କଞ୍ଚା ମାଂସ ପାଖରେ ରଖିଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଗୋବିନ୍ଦ ପଲ୍ଲୀ ବନ କର୍ମଚାରୀମାନେ ସମାକୁଣ୍ଡରେ ପହଞ୍ଚି ସନିଆ ମୁଦୁଲିକୁ ଗିରଫ କରିବା ସହ ୫ କେଜି ସିଝା ମାଂସ ଏବଂ ୬ କେଜି କଞ୍ଚା ବରାହ ମାଂସ ଜବତ କରି ମାମଲା ରୁଜୁ କରିବା ସହ ମାଲକାନଗିରି କୋର୍ଟକୁ ଚାଲାଣ କରିଛନ୍ତି । ଏହି ଚଢାଉରେ ଗୋବିନ୍ଦପଲ୍ଲୀ ବନପାଳ ଦେବାଶିଷ ପ୍ରଧାନ,ବନରକ୍ଷୀ ତପନ କୁମାର ସାହା,ଏବଂ ମାଥିଲି ପ୍ରୋଟେକ୍ସନ ସ୍କୁଆର୍ଡ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ,ମାଲକାନଗିରି)