ମାଲକାନଗିରି,ତା:୨୬/୦୯(ପିପିଟି) ସପ୍ତାହ ବ୍ଯାପି ମାଲକାନଗିରି ବନାଞ୍ଚଳ କର୍ମଚାରୀମାନେ ଭାଲ୍ଲୁକୁ ଧରିବା ପାଇଁ ସାରା ରାତି ଅନିଦ୍ରା,କିନ୍ତୁ ଭାଲ୍ଲୁଟି ଭାରି ଚାଲାକି । ମଣିଷ ଡାଳେ ଡାଳେ ଗଲେ,ଭାଲ୍ଲୁଟି ପତ୍ରେ ପତ୍ରେ ଯାଉଛି । ତେଣୁ ଯେତେ କୌଶଳ ଅବଲମ୍ବନ କଲେ ମଧ୍ଯ ଭାଲ୍ଲୁଟି ଯନ୍ତାରେ ଫସୁନି । କେବଳ ଶ୍ରମ ହିଁ ବ୍ଯର୍ଥ ଯାଉଛି କହିଲେ ଚଳେ । ମାଲକାନଗିରି ସଦର ମହକୁମାର ପ୍ରବେଶ ପଥରେ ପଡେ ଦୀର୍ଘ ୧୫ କିମି ଦୈର୍ଘ୍ଯ ବିଶିଷ୍ଟ ଗୋଈ ପାହାଡ ।ଏହି ପାହାଡକୁ କେହି କେହି ମାଲ୍ଯବନ୍ତଗିରି ବୋଲି ମଧ୍ଯ କହନ୍ତି ।ଏହି ପାହାଡରେ ଏକଦା ଭାଲ୍ଲୁମାନେ କେଉଁ ଆବାହମାନ କାଳରୁ ନିଜର ଆଶ୍ରୟ ସ୍ଥଳୀ ଭାବରେ ଆପଣାଇ ନେଇଥିଲେ । କ୍ରମେ ଜନ ବସତି ବୃଦ୍ଧି ପାଇବା ଫଳରେ ଭାଲ୍ଲୁମାନେ ଏହି ସୁଦୀର୍ଘ ପାହାଡରୁ ବିସ୍ଥାପିତ ହୋଇ ଗଲେ । କେବେ କେବେ ଦୈବାତ ଭାଲ୍ଲୁ ରାତ୍ରର ନିର୍ଜନତାକୁ ପାଥେୟ କରି ପାହାଡର ପାଦ ଦେଶକୁ ସଂଲଗ୍ନ ଜନ ବସତିକୁ ଖାଦ୍ଯ ଅନ୍ବେଷଣରେ ଆସିଥାଏ । ଗତ ଦୁଇ ବର୍ଷ ତଳେ ପାହାଡ ପାର୍ଶ୍ନରେ ଅବସ୍ଥିତ ଭୈରବ ମନ୍ଦିରକୁ ମାଆ ସହ ଦୁଇଟି ଛୁଆ ଭାଲ୍ଲୁ ସଂଧ୍ଯା ଉପଗତ ହେଉ ହେଉ ଖାଦ୍ଯ ଅନୁସନ୍ଧାନରେ ଆସୁଥିଲେ । ମନ୍ଦିରର ପୂଜାରୀ ନଡିଆ କଦଳୀ ଖୁଆଇ ଭାଲ୍ଲୁ ତିନିଟିକୁ ଅଭ୍ଯାସ କରାଇଲା ପରେ ଲୋକମାନଙ୍କ ସଂସ୍ପର୍ଶରେ ଆସି ହିଂସ୍ର ଆଚରଣ ବର୍ଜନ କରିଥିଲେ । ପଥଚାରୀମାନେ ତିନି ଭାଲ୍ଲକୁ ଦର୍ଶନ କରିବା ଏବଂ ମୋବାଇଲରେ ଫଟୋ ଉତ୍ତୋଳନ କରିବାକୁ ଭୈରବ ମନ୍ଦିର ଠାରେ ଖଚା ଖଚ୍ ଭିଡ ଜମାଉଥିଲେ । କେହି କେହି ନଡିଆ କଦଳୀ ଖୁସିରେ ପ୍ରଦାନ କରୁଥିଲେ । ପ୍ରତି ସଂଧ୍ଯା ସମୟରେ ଭାଲ୍ଲୁ ପ୍ରେମୀଙ୍କ ସଂଖ୍ଯା ବଢିଲା । ଭାଲ୍ଲୁ ଯେ ହିଂସ୍ର ନହେବ ଏ ଗ୍ଯରେଣ୍ଟି ଦେବ କିଏ ?ଲୋକମାନଙ୍କୁ ସତର୍କତା ବା ସାବଧାନ କରେଇବା ପାଇଁ ବନ ବିଭାଗ ତରଫର ମନ୍ଦିର ସାମ୍ମନାରେ ଲିଖିତ ଫଳକ ଲଗା ଗଲା । ତଥାପି ଲୋକମାନଙ୍କ ଅମାନିଆ ସତ୍ବେ ଭାଲ୍ଲୁମାନଙ୍କ ନିକଟକୁ ଯାଇ ନଡିଆ କଦଳୀ ଦେବାରେ ପୂର୍ବ ପରି ଭିଡ ଜମିଲା । ମା ଭାଲ୍ଲୁଟି କ୍ରମେ ଫୁଡ୍ ପଏଜନରେ ମୃତ୍ୟୁ ବରଣ କଲା ପରେ ଦୁଇଟି ଛୁଆ ଭାଲ୍ଲୁକୁ ବନ କର୍ମଚାରୀମାନେ ଯନ୍ତା ପକାଇ ଧରି ସୁକୁମା ସୀମାନ୍ତବର୍ତ୍ତି ଜଙ୍ଗଲରେ ଛାଡି ଦେଇଥିଲେ । ଭାଲ୍ଲୁ ପ୍ରେମୀ ମାନଙ୍କ ଭିଡ ଆଉ ଦେଖିବାକୁ ଭୈରବ ମନ୍ଦିର ଠାରେ ଦେଖିବାକୁ ମିଳି ନଥିଲା । ଦୀର୍ଘ ଦୁଇ ବର୍ଷର ବ୍ଯବଧାନ ପରେ ପୁନଶ୍ଚ ଭାଲ୍ଲୁଟିଏ ଖାଦ୍ଯ ଅନ୍ବେଷଣରେ ସହରୀ ମୁହାଁ ହୋଇଛି । ଏହି ଦୃଶ୍ୟଟି ସିସିଟିଭିରେ ଗତ ସପ୍ତାହ ତଳେ ନଜରକୁ ଆସିଲା ପରେ ମାଲକାନଗିରି ବନାଞ୍ଚଳର କିଛି କର୍ମଚାରୀମାନେ ଯନ୍ତା ପକାଇ ସାରା ରାତି ଜଗି ବସିଛନ୍ତି । ହେଲେ ଭାଲ୍ଲୁଟି ଅତି ଚାଲାକି ସତ୍ବେ ଯନ୍ତାରେ ଥିବା ମହୁଲ ଫୁଲ କି ପାଚିଲା କଦଳୀ ଖାଇବା ଲାଗି ଆସୁ ନାହିଁ ।ବନ କର୍ମଚାରୀମାନେ ସାରା ରାତି ଅନିଦ୍ରା ହେଇ ଫେରିବା ଦେଖିବାକୁ ମିଳୁଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)