ମାଲକାନଗିରି,ତା:୧୫/୧୦(ପିପିଟି); ମାଲକାନଗିରି ବନାଞ୍ଚଳ କର୍ମଚାରୀମାନେ ଅତର୍କିତ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ପଟ୍ଟା ଜବତ କରିବା ସହ ଜଣେ ଆସାମୀଙ୍କୁ ଗିରଫ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଆଜି ସକାଳେ ମାଲକାନଗିରି ସଦର ମହକୁମାସ୍ଥିତ ଆଶୀର୍ବାଦ କଲୋନୀରେ ବନ କର୍ମଚାରୀମାନେ ଅତର୍କିତ ଚଢାଉ କରି ହରି ନାଗ(୩୭)ଙ୍କ ଘରୁ ଶାଗୁଆ ଏବଂ ପିଆଶାଳ କାଠ ପଟ୍ଟା ଜବତ କରିଥିଲେ । ହରି ନାଗ ନିଜ ଘରେ ବଢେଇ କାର୍ଯ୍ଯ ଦୀର୍ଘ ଦିନ ହେଲା କରି ଆସୁଥିଲେ ମଧ୍ଯ ବନ କର୍ମଚାରୀମାନେ ଟେର୍ ପାଉନଥିଲେ । ତେବେ ଚୋର ଘର ସବୁ ବେଳେ ଅନ୍ଧାର ନଥାଏ,ଦିନେ ନା ଦିନେ ଉଜ୍ଜ୍ବଳ ହେଲା ପରି ହରିର ଗୁପ୍ତ ରହସ୍ଯର ପରଦା ଫାଶ ହୋଇଛି । ବନ କର୍ମଚାରୀମାନେ କୌଣସି ସୂତ୍ରରୁ ସୂଚନା ପାଇ ହରି ନାଗଙ୍କ ଘରୁ ତିନି ଗୋଟି ଅର୍ଦ୍ଧ ନିର୍ମିତ ପଲଙ୍କ ପଟ୍ଟା ଏବଂ ଗୋଟେ ସୋଫାସେଟ ଜବତ କରିବା ସହ ହରି ନାଗକୁ ଗିରଫ କରିଥିବା ଜଣା ପଡିଛି । ପ୍ରକାଶ ଥାଉକି ଗୋଟାଏ ଶାଗୁଆନ ପଲଙ୍କର ବଜାର ମୂଲ୍ଯ ୫୦ ହଜାର ହୋଉଥିବା ବେଳେ ଗୋଟାଏ ସୋଫାସେଟର ମୂଲ୍ଯ ୬୦ ହଜାର ଟଙ୍କା ବୋଲି କୁହାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)