ବଣ୍ଡା ଘାଟିରେ ଜନନୀ ଯନ୍ତ୍ରଣା,୮ କିମି ପାଦରେ ଚାଲିଲେ ପ୍ରସୂତି ।

0 242

ମାଲକାନଗିରି,୨୯/୧୧(ପିପିଟି): ଜନନୀ ସୁରକ୍ଷା ନେଇ ସରକାରୀ ରାଜକୋଷରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି । କିନ୍ତୁ, ଆଜିବି ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଦୁଃଖ କମିବାର ନା ଧରୁନି । କେଉଁଠି ରାସ୍ତା ଥାଇ ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ତ କେଉଁଠି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରୁନି । ଫଳରେ ପ୍ରସୂତି ମା ମାନଙ୍କୁ କେଉଁଠି ଖଟିଆରେ ତ କେଉଁଠି ଭାରରେ ବୁହା ହେବାର ଦୃଶ୍ୟ ବାରମ୍ବାର ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଏକ ଖବର ମିଳିଛି ଯେଉଁଠି ପ୍ରସୂତି ମା ନିଜର ଗର୍ଭ ଯନ୍ତ୍ରଣାରେ ଦୀର୍ଘ ୮ କିଲୋମିଟର ପାହାଡିଆ ଘାଟି ରାସ୍ତାରେ ଚାଲି ଚାଲି ଆସୁଥିବାର ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ରାସବେଡା ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଘାଟିର ତାଗାବେଡା ଗାଁର ବୁଦା ସୀସାଙ୍କ ସ୍ତ୍ରୀ ଶୁକ୍ରୀ ସୀସା (୩୨ )ଙ୍କ କ୍ଷେତ୍ରରେ । ଗର୍ଭ ଯନ୍ତ୍ରଣା ହେବାରୁ ତାଗାବେଡା ଗାଁରୁ ଦୀର୍ଘ ୮ କିଲୋମିଟର ପାହାଡିଆ ଘାଟି ରାସ୍ତାରେ ବହୁ କଷ୍ଟରେ ଚାଲି ଚାଲି ରାସବେଡା ପଞ୍ଚାୟତର ପାଲକାଗୁଡ଼ାରେ ପହଞ୍ଚି ଥିଲେ ।ସେଠାରେ ପହଞ୍ଚିବା ପରେ ଆଶା କର୍ମୀ ଆମ୍ବୁଲାନ୍ସକୁ ଡକାଇ ପ୍ରସୂତୀଙ୍କୁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଥିଲେ ।ମେଡିକାଲରେ ଶୁକ୍ରୀ ଏକ ସନ୍ତାନ ଜନ୍ମ ଦେଇଥିବା ବେଳେ ମା ଓ ଶିଶୁ ଏବେ ସୁସ୍ଥ ଥିବା ଜଣାପଡିଛି । ଏଠି ପ୍ରଶ୍ନ ଉଠୁଛି ସରକାର ଜନନୀ ସୁରକ୍ଷା ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଉପାନ୍ତ ଅଞ୍ଚଳରେ ଜନନୀ ସୁରକ୍ଷା ପାଇଁ, ଗର୍ଭବତୀ ମହିଳାଙ୍କ ପାଇଁ ମେଡିକାଲ ମାନଙ୍କରେ ପୂର୍ବରୁ ମହିଳା ମାନଙ୍କୁ ଆଣି ମାଗଣା ଖାଇବା ରହିବା ଓ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମା ଗୃହ ନିର୍ମାଣ କରାଯାଇ ଜଣେ ଜଣେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ପରିଚାଳନା ନିମନ୍ତେ ଦାୟୀତ୍ବ ଦିଆଯାଇଛି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ନିଜର କର୍ମଚାରୀ ରଖି କାର୍ଯ୍ୟ କରୁଛନ୍ତି । ଏଠି ଯାହା ଦେଖିବାକୁ ମିଳିଛି ମା ଗୃହର କର୍ମକର୍ତ୍ତା ଉପାନ୍ତ ଘାଟି ଅଞ୍ଚଳର ଗର୍ଭବତୀ ମହିଳାଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି । ଯାହା ଫଳରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ଏହିଭଳି ହୃଦୟ ବିଦାରକ ଦୃଶ୍ୟ ଉପାନ୍ତ ଅଞ୍ଚଳରେ ବାରମ୍ବାର ଦେଖିବାକୁ ମିଳୁଛି । କିନ୍ତୁ ବିଭାଗୀୟ ଅଧିକାରୀ ଓ ମା ଗୃହ ପରିଚାଳନା ଦାୟିତ୍ବରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖିଆଙ୍କ ମଧୁଚନ୍ଦ୍ରିକା ପାଇଁ ବିଭାଗୀୟ ଅଧିକାରୀ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହସ କରୁନଥିବା ଜଣାପଡ଼ିଛି । ଯେଉଁଥି ପାଇଁ ଉପାନ୍ତ ଅଞ୍ଚଳରେ ବାରମ୍ବାର ଜନନୀ ଯନ୍ତ୍ରଣା ଘଟଣା ସାମ୍ନାକୁ ଆସୁଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.