ମାଲକାନଗିରି,୨୫/୦୮(ପିପିଟି): ଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ବ୍ଳକ ପାଣ୍ଡ୍ରିପାଣି ଅଞ୍ଚଳରେ । ବୁଧବାର ଅପରାହ୍ନରେ ବାଉଛ ଗୁଡ଼ା , ବାପନପାଲି , ରାଉଲିଗୁଡ଼ା ଗ୍ରାମର ୬ଜଣ ମହିଳା ଜମିରେ କାମ କରୁଥିଲେ । ହଠାତ୍ ଘଡ଼ଘଡ଼ି ବର୍ଷା ହେବା ସହିତ ବଜ୍ରପାତ ଘଟିଥିଲା । ମୃତ ମହିଳାମାନେ ହେଲେ ଦଇମତି ଖୁଲ ( ୨୬ ) , ଲକ୍ଷ୍ମୀ କୋପେ ( ୨୮ ) ।ନିକଟସ୍ଥ ରାଉଳିଗୁଡା ଗ୍ରାମର ଅନ୍ୟ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ଆହତମାନେ ହେଲେ ଜୁସିଲା ଖିଲ , ଗୀତା ପାଙ୍ଗୀ , ଅଚିନ୍ତା ଖିଲ । ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଞ୍ଚାୟତ ରାଉଳିଗୁଡ଼ା ଓ ବାଉଁଶଗୁଡ଼ା ଗ୍ରାମର । ଗୁରୁତର ମାନଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କଲା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବଜ୍ରପାତରେ ୩ ଜଣ ମହିଳାଙ୍କ ଅକାଳ ବିୟୋଗ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନନଗିରି)