ଭଞ୍ଜନଗର,୦୭/୦୭(ପିପିଟି);ବୁଧବାର ଅପରାହ୍ନରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଘଡଘଡି ସାଙ୍ଗକୁ ସାମାନ୍ୟ ବୃଷ୍ଟିପାତ ହୋଇଥିଲା।ଫଳରେ ଏହି ବ୍ଲକ ସାନକୋଦଣ୍ଡା ପଞ୍ଚାୟତର ଚଢେୟାପଲ୍ଲୀ ଗ୍ରାମରେ ୨୫ଗୋଟି ଛେଳି ଓ ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗ୍ରାମ ନିକଟରେ ଛେଳିଓ ମେଣ୍ଢା ଚରୁଥିବା ସମୟରେ ପ୍ରଚଣ୍ଡ ଶବ୍ଦରେ ବଜ୍ରପାତ ଘଟିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ଖଲିଆ ଗୌଡ଼ ନାମକ ଜଣେ ଛେଳି ଚରାଳି ନିକଟସ୍ଥ ଲୋହରାଖଣ୍ଡି ନଦୀ କୂଳରେ ଅପରାହ୍ନ ସମୟରେ ପ୍ରାୟ ୪୯ ଟି ଛେଳି ଓ ମେଣ୍ଢାକୁ ନେଇ ଚରାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ମେଘ ପବନ ମାଡ଼ି ଆସିଥିଲା। ଖଳିଆ ସମସ୍ତ ଛେଳି ଓ ମେଣ୍ଢାକୁ ନେଇ ଏକ ଗଛ ନିକଟକୁ ଘଉଡାଇ ଆଣୁଥିବା ସମୟରେ ବଜ୍ରପାତରେ ଛେଳିମେଣ୍ଢା ଗୁଡ଼ିକର ମୃତ୍ୟୁ ଘଟିଥିଲା। ଏଥିରେ ୧୫ ଗୋଟି ଛେଳି ରହିଥିବା ବେଳେ ବାକି ୧୦ଟି ମେଣ୍ଢା ରହିଥିବା ଜଣାପଡିଛି। ମୃତ ଛେଳି ଗୁଡିକ ମଧ୍ୟରୁ ଅଧିକାଂଶ ସାନକୋଦଣ୍ଡା ଗ୍ରାମର ଅଭିମନ୍ୟୁ ସ୍ବାଇଁଙ୍କ ବୋଲି ଜଣାପଡିଛି। ଅଭିମନ୍ୟୁ ତାଙ୍କର କିଛି ଛେଳିକୁ ଚଢେୟାପଲ୍ଲୀ ଗ୍ରାମର ଖଲିଆ ଗୌଡକୁ ଭାଗ ଚାଷ କରିବା ପାଇଁ ଦେଇଥିଲେ। ଆଜିର ବଜ୍ରପାତରେ ତାଙ୍କ ଛେଳି ଗୁଡ଼ିକର ମୃତ୍ୟୁ ଘଟିଥିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ପଶୁ ଚିକିତ୍ସଙ୍କୁ ଡାକି ମୃତ ଛେଳି ଓ ମେଣ୍ଢା ଗୁଡ଼ିକର ଶବ ବ୍ୟବଚ୍ଛେଦ କରିବା ପାଇଁ କହିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )