ଫୁଲବାଣୀ,୦୬/୧୦(ପିପିଟି); ଜିଲ୍ଲାରେ ମାନସିକ ଚିକିତ୍ସାଳୟର ଆବଶ୍ୟକତାକୁ ଅନୁଭବ କରି ୨୦୦୭ ମସିହାରେ ସରକାର ୧୦ ଶଯ୍ୟା ବିଶିଷ୍ଟ ମାନସିକ ଚିକତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଖୋଲିଥିଲେ। କନ୍ଧମାଳ , ବୌଦ୍ଧ , ସୋନପୁର ଏହି ୩ ଜିଲ୍ଲାର ରୋଗୀ ଏହି ୟୁନିଟ ନେଇ ଉପକୃତ ହେବାନେଇ ଲକ୍ଷ ରଖାଯାଇଥିଲା । ୟୁନିଟ ଖୋଲିବା ବେଳେ ୨୬,୧୪,୪୬୨ ଟଙ୍କା ଅନୁଦାନ ମଧ୍ୟ ମିଳିଥିଲା , ଆଧୁନିକ ଯନ୍ତ୍ରପାତି କାର୍ଯ୍ୟାଳୟ ପାଇଁ ଆଲମାରୀ , ଇ.ସି.ଜି , କମ୍ପୁଟର ଓ ଆବାସ ପତ୍ର ମଧ୍ୟ ଯୋଗାଇ ଦେଇଥିଲେ ସରକାର । ୟୁନିଟ ପାଇଁ ଜଣେ ମନସ୍ତତ୍ଵବିତ , ମନ ଚିକିତ୍ସକ , ନର୍ସ , ସୋସିଆଲ ୱର୍କର ଭଳି ପଦବୀକୁ ମଧ୍ୟ ମଞ୍ଜୁରୀ ମିଳିଥିଲା । ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ପଦବୀ ଖାଲି ପଡ଼ିଛି । ଯନ୍ତ୍ରପାତି ଖୋଲା ନ ହୋଇ ପଡିରହିଛି । ଶଯ୍ୟା ଗୁଡିକୁ ବର୍ତ୍ତମାନ ମୁଖ୍ୟ ଚିକିତ୍ସାଳୟର ମେଡ଼ିସିନ ୱାର୍ଡକୁ ସ୍ଥାନାନ୍ତରିତ କରିଦିଆଯାଇଛି । ୟୁନିଟର ରେକର୍ଡ ମୁତାବକ ୟୁନିଟ ଖୋଲାହେବା ଦିନଠାରୁ ୨ ଜଣ ମାନସିକ ରୋଗୀଙ୍କୁ ମାତ୍ର ୨ ଦିନ ପାଇଁ ମେଡିକାଲରେ ରଖାଯାଇଥିଲା । ୨୦୧୫ ମସିହା ପର୍ଯ୍ୟନ୍ତ ୮୪୮ ମାନସିକ ରୋଗୀ ଚିକିତ୍ସା ପାଇଁ ଆସି କେବଳ ପରାମର୍ଶ ଓ ଔଷଧ ନେଇଥିବା ବେଳେ ୨୦୧୫ ପରେ ମାସରେ ୨ ଦିନ ପାଇଁ ଜଣେ ମାନସିକ ଚିକିତ୍ସକଙ୍କୁ ଅଣାଯାଇ ସେବା ଯୋଗାଇ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଲା । ଫଳରେ ପ୍ରତ୍ୟେକ ମାସରେ ରେକର୍ଡ ମୁତାବକ ତିନୋଟି ଜିଲ୍ଲାରୁ ପ୍ରାୟ ୧୨୦-୧୬୦ ପର୍ଯ୍ୟନ୍ତ ମାନସିକ ରୋଗୀ ଆସି ପଞ୍ଜିକୃତ କରିବା ସହ ପରାମର୍ଶ ଓ ଔଷଧ ନେଇ ଯାଉଛନ୍ତି । ବର୍ତ୍ତମାନ ଏନ.ଏଚ.ଏମ ରୁ ଚାରି ଜଣ ନିଯୁକ୍ତି ପାଇ କାମ କରୁଛନ୍ତି । କିନ୍ତୁ ଡାକ୍ତରଙ୍କ ଅଭାବ ଥିବାରୁ ମେଡିକାଲଟି କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଜିଲ୍ଲା ବର୍ତ୍ତମାନ ମାନସିକ ରୋଗୀଙ୍କ ଭୂସ୍ବର୍ଗ ପଲଟିଲାଣି । ରାସ୍ତା , ଘାଟ, ସ୍କୁଲ , କଲେଜ ସାମ୍ନାରେ ଏହି ରୋଗୀ ନିଜର ପରିଚୟ ହରାଇ ବୁଲୁଛନ୍ତି । ଜିଲ୍ଲାରେ ଶୂନ ଡିଗ୍ରୀ ଥଣ୍ଡାରେ ମଧ୍ୟ ଖୋଲା ଆକାଶ ତଳେ ଏହିମାନେ ପଡିରହିଥିବା ବେଳେ ପ୍ରଶାସନ , ସ୍ୱାସ୍ଥ୍ୟ ବିଭାଗ କିମ୍ବା କୌଣସି ସ୍ବେଚ୍ଛାସେବୀ ସଂଗଠନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ଏହି ଚିକିତ୍ସାଳୟ ଜିଲ୍ଲା ପାଇଁ ପ୍ରହସନରେ ପରିଣତ ହୋଇଛି। ଏତେ ମହତ ଉଦ୍ଦେଶ୍ୟ ନେଇ ଏତେ ଟଙ୍କା ବ୍ୟୟକରି ଖୋଲାଯାଇଥିବା ମେଡିକାଲଟି କେବଳ ଆନ୍ତରିକତା ଅଭାବରୁ ଅବହଳିତ ହୋଇ ପଡିରହିଛି । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ପାଇଁ ଦାବି ହେଉଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)