ଫୁଲବାଣୀ,ତା-୧୦/୧୦(ପିପିଟି); ଫୁଲବାଣୀ ପୌରପାଳିକା ଗତ ସାଧାରଣ ନିର୍ବାଚନ ବେଳେ କିଛି ଠିକାଦାରଙ୍କ ଦ୍ୱାରା ବିଭିନ୍ନ ନିର୍ମାଣ କାମ କରାଇ ପ୍ରାୟ ୨ ବର୍ଷ ହେବ ଏହି ବିଲ୍ କୁ ପ୍ରଦାନ କରୁନଥିବା ନେଇ ଅଭିଯୋଗ କରିଛନ୍ତି ଏହି ଠିକାଦାର ମାନେ । ଏନେଇ ବର୍ତ୍ତମାନ ପୌରପାଳିକା ପ୍ରଶାସିକା ଦାୟିତ୍ୱରେ ଥିବା କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ବେଳେ ଏହାରି ମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ କୌଣସି ବିଚାର କରାଯାଇନଥିବା ଅଭିଯୋଗ କରିଛନ୍ତି କାମ କରିଥିବା ଠିକାଦାର । ନିର୍ବାଚନ ବେଳେ ବିଭିନ୍ନ ବୁଥରେ ରମ୍ପ ନିର୍ମାଣ , କମ୍ପୋଷ୍ଟ ପିଟ ଏବଂ ବିଜୁ କଲ୍ୟାଣ ମଣ୍ଡପ କଲର ଓ ବିକଳାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ରୋ ଆଦି ନିର୍ମାଣ କାମ କରାଇ ଏହାକୁ ବିଭାଗୀୟ ଯନ୍ତ୍ରୀ ଅନୁଧ୍ୟାନ ମଧ୍ୟ କରୁଥିଲେ । ଗତ ୨୦୧୯ ମାର୍ଚ୍ଚ ମାସରୁ ବିଭାଗର ଦାୟିତ୍ୱରେ ଥିବା ଯନ୍ତ୍ରୀ କାମ ଗୁଡିକୁ ଅନୁଧ୍ୟାନ କରି ବିଲ୍ ମଞ୍ଜୁରୀ କରିବାକୁ ନଥି ପ୍ରସ୍ତୁତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଲ୍ ପୈଠ ନ କରିବା ପଛରେ ପୌର ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ନେଇ ଅଭିଯୋଗ କରିଛନ୍ତି ଠିକାଦାର । ବର୍ତ୍ତମାନ କୋଭିଡ ପାଇଁ କାମ ଓ ରୋଜଗାର ପ୍ରଭାବିତ ହୋଇପଡିଥିବା ବେଳେ ବର୍ଷ ବର୍ଷ ଧରି ପୁରୁଣା ବିଲ୍ କୁ ପ୍ରଦାନ ନ କରିବା ଦ୍ୱାରା ଠିକାଦାରଙ୍କର ଆର୍ଥିକ ସ୍ଥିତି ଭୁଶୁଡି ପଡି ପରିବାର ଉପରେ ପ୍ରଭାବ ପାଡିଥିବା ନେଇ ଅଭିଯୋଗ କରିଛନ୍ତି ଠିକାଦାର । ଏନେଇ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ କୌଣସି ଏଗ୍ରୀମେଣ୍ଟ ନଥିବାରୁ ମୁ ବିଲ୍ କରିପାରୁନଥିବା ଦର୍ଶାଇଥିଲେ । ପ୍ରଶ୍ନ ଉଠୁଛି ନିର୍ବାଚନୀ ଓ ଜରୁରୀ କାଳୀନ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କାର କାମକୁ ଏଗ୍ରୀମେଣ୍ଟ ନ କରାଇ କାମ କରାଉଥିଲେ କିଭଳି ? ବାସ୍ତବରେ ଏ କାମ କ’ଣ ହୋଇନାହିଁ କି ? ଯଦି ଏଗ୍ରୀମେଣ୍ଟ ନଥାଇ କାମ ହେଉଥିଲା ବିଭାଗୀୟ ଯନ୍ତ୍ରୀ ଏହାକୁ ତଦାରଖ କରୁଥିଲେ କିଭଳି ? ତଦାରଖ ପରେ ବିଲ୍ ପାଇଁ ନଥିପ୍ରସ୍ତୁତ କରିଥିଲେ କିଭଳି ? ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କାମ କରାଇବା ପରେ ଏଗ୍ରୀମେଣ୍ଟ କରାଇବା ପୌରପାଳିକାର କାମ ନୁହଁ କି ? ଜିଲ୍ଲାପାଳ ଗତ ସାଧାରଣ ନିର୍ବାଚନ ବେଳେ ମଧ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ଥିଲେ ଯେଉଁ ସମୟରେ ଏହି ନିର୍ବାଚନ ନେଇ ଜରୁରୀ କାଳୀନ କାମ ହେଇଛି । ବର୍ତ୍ତମାନ ସେହି ଜିଲ୍ଲାପାଳ ଏକ ବର୍ଷରୁ ଅଧିକ ସମୟ ଧରି ପୌରପାଳିକାରେ ମଧ୍ୟ ପ୍ରଶାସିକା ଦାୟିତ୍ୱରେ ମଧ୍ୟ ଅଛନ୍ତି । ଠିକାଦାରଙ୍କ ଅଭିଯୋଗ ପରେ ମଧ୍ୟ ଦୀର୍ଘ ଦିନ ଧରି ଏନେଇ ନିରବ ରହିବା ପଛରେକି ଉଦ୍ଦେଶ୍ୟ ରହିଛି ଏହା ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି କରିଛି । ତୁରନ୍ତ ଏହାର ବିଚାର କରି ବିଲ୍ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି କାମ କରିଥିବା ଠିକାଦାର ।