ଫୁଲବାଣୀ ପିଓନପଡା ବନ୍ଧ ସାହିରେ ଘର ଉପରକୁ ବୋମା ମାଡ଼।

0 394

ଫୁଲବାଣୀ, ୦୫/୧୧(ପିପିଟି); ଫୁଲବାଣୀ ସହର ପିଓନପଡା ବନ୍ଧ ସାହିରେ ଟିଟନ ବେହେରା ନାମକ ଯୁବକଙ୍କ ଘର ଉପରକୁ ଗତ କାଲି ବିଳମ୍ବିତ ରାତିରେ ତିନୋଟି ସିରିଜ୍ ବୋମାମାଡ କରି ଚାରି ଜଣ ଯୁବକ ବାଇକରେ ଫେରାର ହୋଇଯାଇଥିଲେ । ବୋମାମାଡରେ ଘରର ଟିଣ ଭାଙ୍ଗି ଯାଇଥିବା ବେଳେ ଘରେ ସୋଇଥିବା ପରିବାର ଲୋକେ ଅଳ୍ପକେ ବଞ୍ଚି ଯାଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ରାଜକୁମାର ଚୌଧୁରୀ ନାମକ ଜଣେ ଯୁବକ ଏହି କାଣ୍ଡ ଘଟାଇଛି । ସେ ଆଗରୁ ବୋମା ପକାଇ ଘର ଉଡ଼ାଇ ଦେବା ଧମକ ଦେଇଥିଲେ । ପୂର୍ବରୁ ଟିଟନ ସହ ତାର ଝଗଡା ବି ହୋଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣା ପରେ ସାହୀ ପଡିସା ଆତଙ୍କିତ ହୋଇପଡିଥିବା ବେଳେ ଦୁଇ ଗଞ୍ଜେଇ ମାଫିଆ ଗୋଷ୍ଠି ମଧ୍ୟରେ ଝଗଡାର ଏହା ପରିଣାମ ବୋଲି ଆଲୋଚନା କରୁଛନ୍ତି । ଗଞ୍ଜେଇ ମାଫିଆଙ୍କ ପ୍ରତି ପୋଲିସର ନରମ ମନବୃତି ଯୋଗୁଁ ମାଫିଆ ଗୋଷ୍ଠି ବିଭିନ୍ନ ଅସାମାଜିକ କାମରେ ଲିପ୍ତ ରହୁଥିବା ବେଳେ ବର୍ତ୍ତମାନ ଦିନକୁ ଦିନ ହିଂସ୍ର ହେବାରେ ଲାଗିଛନ୍ତି । ଏହି ଭଳିକି କିଛି ଦିନ ପୂର୍ବେ ଜଣେ ଗଞ୍ଜେଇ ମାଫିଆ ଫୁଲବାଣୀ ବଜାର ମଧ୍ୟ ଭାଗରେ ଜଣେ ଥାନା ଅଧିକାରୀଙ୍କୁ କଟୁରିରେ ଆକ୍ରମଣ କରି ଗୁରୁତ୍ବର କରିବାକୁ ମଧ୍ୟ ପଛାଇ ନଥିଲେ । ବର୍ତ୍ତମାନ ଅଭିଯୋଗ ହେଉଥିବା ରାଜକୁମାର ନାମରେ ମଧ୍ୟ ବହୁ ଅପରାଧିକ ମାମଲା ଥିବା ଅଭିଯୋଗ ହେଉଛି । ଏହି ଅଭିଯୁକ୍ତ ମାନଙ୍କ ପ୍ରତି ପୋଲିସ କାର୍ଯ୍ୟାନୁଷ୍ଠାନ କୋହଳ ଓ ନରମ ମନବୃତି ଏହି ମାଫିଆଙ୍କୁ ହିଂସ୍ର କରିବାରେ ସହାୟକ ହୋଇଛି ବୋଲି ସହରରେ ଆଲୋଚନା ଜୋର ଧରିଛି । ଶାନ୍ତ ସରଳ ସହରକୁ ଦିନକୁ ଦିନ ଏହି ମାଫିଆ ଗୋଷ୍ଠି ନିଜ ବ୍ୟବସାୟ ପାଇଁ ଗୋଷ୍ଠି କନ୍ଦଳ ମଧ୍ୟରେ ଅଶାନ୍ତ କରି ଚାଲିଛନ୍ତି । ଏହିଭଳିକି ଗୋଳା ବାରୁଦ ଓ ଜିଲ୍ଲା ବାହାରର ଭଡାଟିଆ ଗୁଣ୍ଡାଙ୍କୁ ବ୍ୟବହାର କରୁଥିବା ଆଲୋଚନା ହେଉଛି । ପୋଲିସ ମୁଖ୍ୟାଳୟ ଏହିସବୁ ଘଟଣା ଗୁଡିକୁ ହାଲ୍କା ଭାବେ ନ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଦିନକୁ ଦିନ ସହରଟି ଅଶାନ୍ତ ହୋଇପଡିବ । ଜିଲ୍ଲାର ଶାନ୍ତି ଭଙ୍ଗ ହେବ ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.