ବେଲଗୁଣ୍ଠା,୨୪/୦୭(ପିପିଟି); ଦୁଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗ୍ୟାଙ୍ଗ୍ କୁ ଯଥାକ୍ରମେ ଗାଙ୍ଗପୁର ପୋଲିସ୍ ଏବଂ ଆସ୍କା ପୋଲିସ୍ ଗିରଫ କରିଛି । ସୁଚନା ପ୍ରକାରେ ଗତ ମଇ ମାସ ୧୪ ତାରିଖରେ ଦିନ ୧୧ ଘଣ୍ଟା ୫୦ ମିନିଟ୍ ସମୟରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇକୋଳିଆପଲ୍ଲୀ ନିକଟସ୍ଥ ବାଲିପାଟ ଛକରେ ୫ ଜଣ ଦୁର୍ବୃତ୍ତ ତିନୋଟି ବାଇକ୍ ରେ ଆସି ଏଜେଣ୍ଟ ମାନଙ୍କୁ ଛୁରୀରେ ଆକ୍ରମଣ କରି ସେମାନଙ୍କ ନିକଟରୁ ନଗଦ ଏକ ଲକ୍ଷ ଟଙ୍କା ଲୁଟ୍ କରି ନେଇଯାଇଥିଲେ । ଏଜେଣ୍ଟଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୧୯୫/୨୧ ରେ ଏକ ମାମଲା ରୁଜୁ କରାଯାଇ ପୋଲିସ୍ ଅନୁସନ୍ଧାନ କରି ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରହିଥିବା କଥା ଥାନା ଅଧିକାରୀ ଧୀରେଶ୍ କୁମାର ଦାସ ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ସିଂହମର୍ଦ୍ଦନ ଗ୍ରାମର ରୋଶନ କୁମାର ବିଷୋୟୀ (୧୯),ଝାଡ଼ବନ୍ଧ ଗ୍ରାମର ସୁବ୍ରତ ଜେନା(୧୮), ଭେଟନଈ ଗ୍ରାମର ବାଦଲ ଦାସ(୧୯),ରାମଚନ୍ଦ୍ରପୁରର ବଳିଆ ଓରଫ ବଳରାମ ପ୍ରଧାନ (୨୫) ଏବଂ ଜଣେ ନାବାଳକ । ସେହିପରି ଗତ ଜୁଲାଇ ୯ ତାରିଖରେ ଦିନ ଦୁଇଘଣ୍ଟା ସମୟରେ ଭାରତ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଆସ୍କା ଥାନା ଅନ୍ତର୍ଗତ ବଣଭାଲି ଅମ୍ବ ତୋଟା ନିକଟରେ ଛଅ ଜଣ ଲୁଟେରା ତିନୋଟି ମୋଟରସାଇକେଲ୍ ରେ ଆସି ଏଜେଣ୍ଟ ମାନଙ୍କୁ ଛୁରୀରେ ଆକ୍ରମଣ କରି ସେମାନଙ୍କ ନିକଟରୁ ୯୮୦୦୦ ଟଙ୍କା ଲୁଟ କରି ପଳାଇଥିଲେ । ସେହି ଘଟଣାରେ ପୋଲିସ୍ ୪୫୪/୨୧ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ଅନୁସନ୍ଧାନ କରି ଆଜି ଘଟଣାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଏସ୍.ଗୋପାଳପୁରର କାହ୍ନା ଓରଫ କାହ୍ନୁ ପ୍ରଧାନ (୨୨), କରାଖଣ୍ଡିର ଜିତୁ ଓରଫ ଜିତେନ୍ଦ୍ର ମଥା (୨୫),ପୁରୁଣାଗଡ଼ ଅମର ଦାସ (୨୭),ସୁନାରୀପଲ୍ଲୀ ପହଲା ଓରଫ ପ୍ରହଲ୍ଲାଦ ଦାସ (୩୫),ସାନ ଖଜୂରୀଆର ମନୋଜ ମଲ୍ଲିକ (୩୪)ଙ୍କ ସମେତ ବାଲିପାଟ ଛକ ଘଟଣାରେ ସମ୍ପୃକ୍ତ ଥିବା ବାଦଲ ଦାସ ଏବଂ ବଳରାମ ପ୍ରଧାନ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )