ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ନିର୍ମାଣ ସକାଶେ ଜମି ନଦେବା ପାଇଁ ନିବେଦନ।

0 369

ପୋଲସରା,୧୦/୦୧(ପିପିଟି):ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତର ପ୍ରସ୍ତାବିତ କୋର୍ଟ ନିର୍ମାଣ ସକାଶେ ବିଦ୍ୟୁତ ବିଭାଗର ଗ୍ରୀଡ୍ ଷ୍ଟେସନ ନିକଟରେ ଜମି ନଦେବା ପାଇଁ ଆଜି ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ମନଶିଳା ଗ୍ରାମର ତିନି ଶତାଧିକ ବ୍ୟକ୍ତି ପୋଲସରା ତହସିଲଦାରଙ୍କୁ ସାକ୍ଷାତ କରି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଦେଢ ବର୍ଷ ହେଲା ପୋଲସରା ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ଆରମ୍ଭ ହୋଇଛି। ତେବେ ଅଦାଲତର ନିଜସ୍ଵ କୋଠା ନିର୍ମାଣ କରା ଯାଇନଥିବାରୁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟର ଗୋଟିଏ ପରିତ୍ୟକ୍ତ କୋଠାକୁ ମରାମତି କରି ଅସ୍ଥାୟୀ ଭାବେ କୋର୍ଟ କାର୍ଯ୍ୟ କରାଯାଉଛି। ଏଣୁ କୋର୍ଟର ନିଜସ୍ଵ କୋଠା ଏବଂ କର୍ମଚାରୀ ମାନଙ୍କ ବାସଗୃହ ନିର୍ମାଣ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ବେଲଗାଁ ନିକଟସ୍ଥ ଗ୍ରୀଡ୍ ଷ୍ଟେସନ ନିକଟରେ ୬୩୬ ଖାତା ନମ୍ବର ଜମି ରୁ ୪ ଏକର ଜମି ଦିଆଯାଇଛି। ଏବଂ କୋଠା ନିର୍ମାଣ ସକାଶେ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏପରି ସ୍ଥଳେ ଆଜି ମନଶିଳା ଗ୍ରାମର ତିନି ଶତାଧିକ ବ୍ୟକ୍ତି ତହସିଲଦାର ଭାସ୍କର ଚନ୍ଦ୍ର ସାହୁଙ୍କୁ ସାକ୍ଷାତ କରି ପ୍ରସ୍ତାବିତ ଜମି ରେ ସେମାନେ ପୁରୁଷ ପୁରୁଷ ଧରି ଚାଷ କରି ଜୀବିକା ନିର୍ବାହ କରୁଥିବା ରୁ ଉକ୍ତ ଜମିକୁ କୋର୍ଟକୁ ନଦେବା ପାଇଁ ନିବେଦନ କରିଥିଲେ। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ହିଁ ନିଷ୍ପତ୍ତି ନେଇ ପାରିବେ। ଏହା ତାଙ୍କର କ୍ଷମତା ବାହାରେ ବୋଲି ତହସିଲଦାର ଭାସ୍କର ଚନ୍ଦ୍ର ସାହୁ ମନଶିଳା ଗ୍ରାମ ବାସୀଙ୍କୁ ବୁଝାଇବା ପରେ କୋର୍ଟ ନିର୍ମାଣ ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଲୋକମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିବେଦନ କରିବେ ବୋଲି କହିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.