ଦିଗପହଣ୍ଡି,୦୩/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅସାମାଜିକ ଯୁବକ ମାନଙ୍କ ଦ୍ଵାରା ଗଞ୍ଜେଇ ଚୋରା କାରବାର ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ରାଜ୍ୟ ବାହାରକୁ ପଠାଇ ପ୍ରଚୁର ଅର୍ଥ ରୋଜଗାର କରିଥାନ୍ତି । ତେବେ ଗତ କିଛି ମାସ ଭିତରେ ଦିଗପହଣ୍ଡି ପୋଲିସ , ପାଟପୁର ପୋଲିସ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଗିରଫକାରୀ ଏବେ ଜେଲ ହାଜତରେ ଦିନ କାଟୁଛନ୍ତି । ବୁଧବାର ଦିନ ପାଟପୁର ପୋଲିସ ପକ୍ଷରୁ ୩୧୫୭ କେଜି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଗୁରୁବାର ଦିନ ପୁଣି ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ସେହି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଟିଗୁଡା ପଞ୍ଚାୟତ ଆଦିବାସୀ ଜନଜାତି ଖପରାଗଣ୍ଡା ଗ୍ରାମରୁ ଏକ ଘର ଭିତରୁ ମହଜୁଦ ରହିଥିବା ୭୨୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଖପରାଗଣ୍ଡା ଗ୍ରାମର ପ୍ରତାପ ମଳିକ ନାମକ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ନିରୀକ୍ଷକ ଏ. ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ନେତୃତ୍ୱରେ ବ୍ରହ୍ମପୁର ମୋବାଇଲ ଷ୍ଟ୍ରାଇକିଂ ଫୋର୍ସ ଏସ୍ ଆଇ ଶ୍ରୀଧର ମହାନ୍ତି , ଚିକିଟି ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡ଼ା , ଦିଗପହଣ୍ଡି ଅବକାରୀ ଉପ ନୀରିକ୍ଷକ ଅଭିରାମ ସାହୁ , ଗୋଳନ୍ଥରା ଅବକାରୀ ଉପ ନିରୀକ୍ଷକ ସୁବାଷ ମହାଙ୍କୁଡ , ଦିଗପହଣ୍ଡି ଅବକାରୀ ଏଏସ୍ଆଇ ବସନ୍ତ ବେହେରା,କର୍ମଚାରୀ ନିରଞ୍ଜନ ବେହେରା,ଏନ୍.ତ୍ରିପତୀ , ସ୍ବଏମ୍ଭୁ କହଁର , ପଦ୍ମାବତୀ ସେଠୀ ଅତର୍କିତ ଚଢ଼ାଉ କରି ଯୁବକଙ୍କୁ କାବୁ କରିବାରେ ସଫଳ ହୋଇପାରିଛନ୍ତି । ଏନେଇ ଅବକାରୀ ମାମଲା ନଂ ୩୭/୨୧-୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତଙ୍କ କହିବାନୁଯାୟୀ , କଂସାମାରୀ ଓ ଧରମପୁର ଆଦି ଗ୍ରାମର ମାଫିଆ ମାନେ ଗଜପତି ଅଞ୍ଚଳରୁ ଗଞ୍ଜେଇ ଆଣିବା ସହ ଗଞ୍ଜେଇ ସଂରକ୍ଷିତ ରଖିବା ନିମନ୍ତେ ମୋ ଘରକୁ ଭଡ଼ା ଆକାରରେ ନେଇ ମାସିକ ଭଡ଼ା ବାବଦରେ ପ୍ରଚୁର ଅର୍ଥ ଦେଉଥିବା କହିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )