ଶେରଗଡ଼,୨୨/୦୮(ପିପିଟି); ଲୁଟରମାସକ ପରେ ଧରା ପଡିଲେ ଲୁଟେରା । ଆଜି ଶେରଗଡ଼ ପୋଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗତ ମାସ ୧୭ ତାରିଖ ସକାଳ ୮ ଘଣ୍ଟ ସମୟରେ ଆସିକା ଥାନା ଅନ୍ତର୍ଗତ ତରସିଙ୍ଗି ଗ୍ରାମର ପ୍ରମୋଦ ଚନ୍ଦ୍ର ପଣ୍ଡା(୪୦), ଏକ ଏକ୍ସଲ ମୋପେଡ଼ ଯୋଗେ ତାଙ୍କ ସ୍ତ୍ରୀ ରିଙ୍କି ପଣ୍ଡା(୩୧),ଦୁଇ ଝିଅ ଗିରିଜା ଓ ଅଙ୍କିତାଙ୍କୁ ନେଇ କରଡକଣା ଅଭିମୁଖେ ଯାଉଥିବା ବେଳେ ହରିକୃଷ୍ଣପୁର ଠାରେ ହଠାତ ଗୋଟିଏ ବାଇକରେ ଦୁଇ ଜଣ ଲୁଟେରା ରିଙ୍କିଙ୍କ ବେକରୁ ସୁନା ବାଙ୍କପାତ୍ରୀ ମାଳି ଛଡାଇ ନେଇ ଚାଲି ଯାଇଥିଲେ । ପ୍ରୋମୋଦି ଏ ନେଇ ଶେରଗଡ଼ ଥାନାରେ ଅଭିଯୋଗ କରିଥିବା ବେଳେ ଦୀର୍ଘ ଏକ ମାସ ପରେ ଆଜି ଶେରଗଡ଼ ପୋଲିସ ୨ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଲୁଟେରା ହେଲେ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଗ୍ରାମର ସାଗର ଓରଫ ପିଣ୍ଟୁ ସାହୁ (୨୮) ଓ ଭଞ୍ଜନଗର ଡେରା ସାହିର ଉମା ଶଙ୍କର ଶତପଥୀ(୩୨) ସେମାଙ୍କଠାରୁ ଲୁଟ ହୋଇଥିବା ବାଙ୍କପାତ୍ରୀ ମାଳି ଜବତ ହୋଇଥିବା ଶେରଗଡ଼ ଥାନାଧିକାରିଣୀ ମମତା କୁମାରୀ ସାମନ୍ତରାୟ ସୂଚନା ଦେଇଛନ୍ତି । ଶେରଗଡ଼ ଅଞ୍ଚଳରେ ଦିନକୁ ଦିନ ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପ ବଢ଼ିବାରେ ଲାଗିଛି ଯାହାଦ୍ବାରା ଶେରଗଡ଼ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ହେଉଛି।
(ରିପୋର୍ଟ- ଭିକୁ ନାୟକ। )