କୋଦଳା,୧୯/୧୧(ପିପିଟି):ଲୋନ୍ କରାଇଦେବା ନାମରେ ଠକାମି କରି ନୀରିହ ଲୋକଙ୍କ ଠାରୁ ଲୁଟୁଥିବା ଜଣେ ଲୁଟେରା ଏବେ ପୋଲିସ ହାବୁଡ଼ରେ ପଡି ଜେଲ ହାଜତରେ । ଶନିବାର କୋଦଳା ପୋଲିସ ଜଣେ କୁଖ୍ୟାତ ସୁନା ଅଳଙ୍କାର ଠକେଇକୁ ଗିରଫ କରିଛି। ଲୋନ୍ କରାଇଦେବି କହି ଠକାମି କରି ନୀରିହ ଲୋକଙ୍କୁ ଚୂନ ଲଗାଉଥିଲା ଏହି ଅଭିଯୁକ୍ତ।ଏଥିପାଇଁ ସେ ବିଭିନ୍ନ ପ୍ରକାରର ଲୋନ ଲୋଭ ଦେଖାଉ ଥିଲା ।
ଲୋନ୍ ଅର୍ଥ ରାଶି କରାଇଦେବା ନାମରେ ଗରିବ ନିରୀହ ଲୋକଙ୍କ ଠାରୁ ପ୍ରଥମେ ଅଗ୍ରିମ ଟଙ୍କା ନେଇ ଚମ୍ପଟ ମାରୁଥିଲା। ଯାହାର ଟଙ୍କା ନଥିବ ସୁନା ବ୍ଯାଙ୍କରେ ବନ୍ଧକ ରଖିବ ବୋଲି କହି ଲୋକଙ୍କୁ ବ୍ଯାଙ୍କ କୁ ନେଉଥିଲା। ଆଉ ସେଠାରୁ କୌଶଳ କ୍ରମେ ସୁନା ନେଇ ଚମ୍ପଟ ମାରୁଥିଲା ଏହି ଠକ ବ୍ଯକ୍ତି ଜଣକ।ଏସ୍ଡ଼ିପିଓ ଙ୍କ କହିବା ପ୍ରକାରେ ଗତ ୧୯/୧୧/୨୦୨୨ ଦିବା ୧୦.୩୦ ମିନଟ ସମୟ ରେ କୋଦଳା ଥାନା ଅନ୍ତର୍ଗତ କାଲିମେଘି ଗ୍ରାମର ବିଷ୍ଣୁ ଯେନାଙ୍କ ଘରକୁ ହଠାତ ଜଣେ ବ୍ୟକ୍ତି ଆସି ତୁମର ଘର ନିର୍ମାଣ ପାଇଁ ପୂର୍ବତନ ସରପଞ୍ଚ ଆବେଦନ କରିଥିବା ଦରଖାସ୍ତ ପ୍ରକାରେ ୩୨୦୦୦୦/-ତିନି ଲକ୍ଷ କୋଡିଏ ହଜାର ଟଙ୍କା ଆସିଛି, ଉକ୍ତ ଲୋନ ପାଇବାକୁ ହେଲେ ପ୍ରଥମେ ୨୪୦୦୦/- ଟଙ୍କା ଡିପୋଜିଟ କରିବାକୁ ପଡିବ ବୋଲି କହିଥିଲେ କିନ୍ତୁ ମହିଳା ଜଣଙ୍କ ମୋ ପଖାରେ ଏତେ ଟଙ୍କା ନାହିଁ କହିବା ପରେ ତୁମର ଯଦି ସୁନା ଗହଣା ଅଛି ଧରି ବ୍ୟାଙ୍କ କୁ ଶୀଘ୍ର ଆସ ତୁମ ପୂର୍ବତନ ସେଠାରେ ଅପେକ୍ଷା କରିଛନ୍ତି କହିବା ପରେ ବିଷ୍ଣୁ ସୁନା ଗହଣା ଧରି ବ୍ୟାଙ୍କ ଯାଇଥିଲେ ଏବଂ ଉକ୍ତ ଦଲାଲ ମହିଳାଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ଗୋଟିଏ ଫର୍ମରେ ଟିପ ଚିହ୍ନ ନେଇ ଉକ୍ତ ମହିଳାକୁ ବାହାରେ ବସାଇ ଚମ୍ପଟ ମାରିଥିଲେ । ବହୁ ସମୟ ଅପେକ୍ଷା କରି ଉକ୍ତ ବ୍ୟକ୍ତି ନ ଆସିବାରୁ ଠକାମୀର ଶିକାର ହୋଇଥିବା ଜାଣି କୋଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ପାଇ କୋଦଳା ପୋଲିସ ଚାରିଆଡେ ଜାଲ ବିଛାଇ ଗତ କାଲି ମଧ୍ୟ ରାତ୍ର ରେ ଉକ୍ତ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ବ୍ଯକ୍ତିର ନାମ ଜ୍ଞାନ ରଞ୍ଜନ ଦାସ ଏବଂ ବୟସ ୫୪ ବର୍ଷ ହୋଇଥିବା ବେଳେ ଘର ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଥାନା ଗୋପାଳପୁର ବୋଲି ଜଣାପଡିଛି। ଅଭିଯୁକ୍ତ ନାମରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୋଲସରା ଓ କୋଦଳା ଥାନାରେ
୮ ଟି ମାମଲା ରହିଛି। ଅଭିଯୁକ୍ତଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ସୁନା ଓ ରୂପା ଅଳଙ୍କାର ସହିତ ନଗଦ ୪୪୦୦ ଟଙ୍କା ଓ ଗୋଟିଏ ୟାମାହା ମୋଟର ସାଇକେଲ ଜବତ ହୋଇଥିବା ନେଇ ଆଜି କୋଦଳା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଓ ପୋଲସରା ଥାନା ଅଧିକାରୀଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି ଏସଡିପିଓ ରଜନୀକାନ୍ତ ସାମଲ ।ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )