ପୋଲାଭରମ ସମସ୍ୟାର ଆଲୋଚନା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନକୁ ସ୍ୱାଗତ- “ପିଏପିପି” ।

0 266

ମାଲକାନଗିରି,୦୮/୧୧(ପିପିଟି): ଦୀର୍ଘ ବର୍ଷ ଧରି ବିବାଦୀୟ ପୋଲାଭରମ ପ୍ରକଳ୍ପ ଜନିତ ସମସ୍ୟା ସମାଧାନ ହେଇପାରିନଥିବାରୁ ଆସନ୍ତାକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୋଲାଭରମ ସମସ୍ୟା ସମେତ କୋଟିଆ ଗ୍ରାମ ପଂଚାୟତର ସୀମା ବିବାଦ, ଝଞ୍ଜାବତୀ ପ୍ରକଳ୍ପ ବିବାଦ ଆଉ ବଂଶଧାରା ପ୍ରକଳ୍ପ ବିବାଦର ସମାଧାନ ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭୁବନେଶ୍ୱରରେ ଆଲୋଚନାର କାର୍ଯ୍ୟକ୍ରମକୁ “ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ “ପାପ” ସଂଗଠନ ସ୍ୱାଗତ କରିଛି। ଆଜି “ପାପ” ସଂଗଠନର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳଙ୍କ ନେତୃତ୍ୱରେ କାଲିମେଳା ବ୍ଲକ ପୁସୁଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘାର୍ସାପଲ୍ଲୀ ଗ୍ରାମଠାରେ ପୋଲାଭରମ କିଛି କ୍ଷତିଗ୍ରସ୍ତଙ୍କୁ ନେଇ ଏକ ସମାବେଶର ଆୟୋଜନ କରାଯାଇଥିଲା। ସମାବେଶରେ କ୍ଷତିଗ୍ରସ୍ତ ହେବାକୁଥିବା ଲୋକେ ପ୍ରଥମେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣେଇ ବିବାଦୀୟ ପୋଲାଭରମ ପ୍ରକଳ୍ପର ଉଚିତ ସମାଧାନ ପାଇଁ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ପରେ ଏକ ସଭାର ଆୟୋଜନ କରିଥିଲେ। ଆନ୍ଧ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଓଡିଶା ମାଲକାନଗିରି ଜିଲ୍ଲାର ୮ଟି ଆଉ ଛତିଶଗଡ଼ର ୪ ଖଣ୍ଡ ଗାଁ ପ୍ରଭାବିତ ହେବ। ଏଠାରେ ପ୍ରଶ୍ନ ଉଠୁଛି, ୧୯୮୬ ଏବଂ ୨୦୦୬ ମସିହାରେ ପୋଲାଭରମ ଡ୍ୟାମ ନ ଥାଇ ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ, ମାଥିଲି ଆଉ କରୁକୋଣ୍ଡା ବ୍ଲକର ୧୩୦ ଖଣ୍ଡ ଗ୍ରାମ ପୋଲାଭରମ ପଛୁଆ ଜଳଦ୍ୱାରା ପ୍ରଭାବିତ ହୋଇଥିଲା। ଡ୍ୟାମ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପଛୁଆ ଜଳଦ୍ୱାରା ମାଲକାନଗିରି ଜିଲ୍ଲାର ଆଉ ଅଧିକ ଗ୍ରାମ ପ୍ରଭାବିତ ହେବାକୁଥିବା ଏଡାଇଦିଆଯାଇନପରେ। ଆନ୍ଧ୍ର ସରକାର ଠିକ ତଥ୍ୟ ଉପସ୍ଥାପନା କରିବାକୁ “ପାପ” ସଂଗଠନର ସଭାପତି ଶ୍ରୀ ହନ୍ତାଳ ଉଲ୍ଲେଖ କରିଛନ୍ତି। ୨୦୧୯ ରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ମାନ୍ୟବର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି କି, ସେମାନେ ଓଡିଶା ଏବଂ ଛତିଶଗଡ଼ର ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦେବେନାହିଁ କିମ୍ବା ଥଇଥାନ କରିବେ ନାହିଁ। କାରଣ, ପୋଲାଭରମର ପଛୁଆ ଜଳକୁ ଓଡିଶା ଛତିଶଗଡ଼ରେ ପ୍ରବେଶ ନ କରିବାକୁ ଉଭୟ ସିଲେରୁ ଏବଂ ସାବେରୀ ନଦୀର କୂଳରେ ଆଡିବନ୍ଧ ନିର୍ମାଣ କରିବେ। ଆଡିବନ୍ଧ ଯଦି ନିର୍ମାଣ କରାଯାଏ, ତା’ହେଲେ ବର୍ଷା ଦିନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ନାଳ ନଦୀର ବନ୍ୟାପଣି ନିଷ୍କାସନ ହେଇନପାରି ଜିଲ୍ଲାର ମାତ୍ରାଧିକ ଗାଁ ପ୍ରଭାବିତ ହେବବୋଲି “ପାପ” ମଞ୍ଚ ଦାବିକରି ଆଡିବନ୍ଧକୁ ବିରୋଧ କରିଛି। ନୂତନ ବିସ୍ଥାପନ ଆଉ ଜମି ଅଧିଗ୍ରହଣ ନିୟମ ସରକାର କଢାକଢ଼ି ଭାବେ ପାଳନ କରି କ୍ଷତିଗ୍ରସ୍ତଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରି ଥଇଥାନ ପରେ ବିସ୍ଥାପିତ କରିବାକୁ ଶ୍ରୀ ହନ୍ତାଳ ଦାବି କରିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ମାନ୍ୟବର ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଓଡିଶା ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ପୋଲାଭରମ ସମସ୍ୟା ସମାଧାନ କରିବାକୁ ଆନ୍ଧ୍ର ସରକାରଙ୍କୁ ଆଦେଶ ଦେଇଥିଲେ। ବିଳମ୍ବରେ ଭି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଓଡିଶା ଆସୁଥିବାରୁ କିଛି ସୁଫଳ ପାଇବା ଆଶାବାନ୍ଧି ରଖିଛନ୍ତି ପୋଲାଭରମ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁଥିବା ଲୋକମାନେ। ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଭିମା ମାଡକାମୀ, ସୁବ ମାଡକାମୀ, ତାମାୟା ଦାରି, କାନି ଦାରି ଓ ଯୋଗୀ ମାଡକାମୀ ପ୍ରମୁଖ ସହଯୋଗ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.