ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ‘ପାପ’ ଅଧ୍ୟକ୍ଷ ।

0 238

ମାଲକାନଗିରି,୨୩/୦୯(ପିପିଟି):ପୋଲାଭରମ ଡ୍ୟାମ ପ୍ରକଳ୍ପ ଦ୍ବାରା ଆଦିମ ଜନଜାତିମାନେ ସମ୍ମୁଖୀନ ହେବାକୁ ଥିବା ସମସ୍ୟା ପ୍ରସଙ୍ଗରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ରେଣୁକା ସିଂ ସାରୁତାଙ୍କ ସହ ଆଲୋଚନା କଲେ ‘ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ’ (ପାପ) ସଂଗଠନର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳ। ଚଳିତ ମାସ ତା- ୨୨/୦୯/୨୦୨୨ ରିଖ ଦିନ ଆନ୍ଧ୍ର ପ୍ରଦେଶର ଆରୁକୁ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା। ଆରୁକୁ ଠାରେ ଏକ ସୌଜନ୍ୟମୂଳକ ଭାବେ କେନ୍ଦ୍ରମନ୍ତ୍ରୀଙ୍କୁ ‘ପାପ’ ସଂଗଠନର ଅଧ୍ୟକ୍ଷ ଶ୍ରୀ ହନ୍ତାଳ ସାକ୍ଷାତକରି ପୋଲାଭରମ ପ୍ରକଳ୍ପ ଦ୍ବାରା ଆଦିବାସୀମାନେ ସମ୍ମୁଖୀନ ହେବାକୁଥିବା ସମସ୍ୟାର ସମାଧାନ ନିମନ୍ତେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକାଶ ଥାଉକି, ୨୦୧୪ ମସିହାରେ ତତ୍କାଳୀନ ‘ଉପା’ ସରକାର ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ପ୍ରଦାନ କରିଥିବାରୁ ବର୍ତ୍ତମାନର ଆନ୍ଧ୍ର ସରକାର ବିସ୍ଥାପିତ କିମ୍ବା କ୍ଷତିଗ୍ରସ୍ଥଙ୍କୁ କ୍ଷତିପୂରଣ ଓ ଥଇଥାନ ସଂକ୍ରାନ୍ତରେ କେନ୍ଦ୍ରକୁ ଦାୟୀ କରୁଛନ୍ତି। ତେଣୁ ଆନ୍ଧ୍ର, ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନା ଚାରୋଟି ରାଜ୍ୟର ଲକ୍ଷାଧିକ ଆଦିମ ଜନଜାତିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୋଲାଭରାମ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ ସାରୁତାଙ୍କୁ ‘ପାପ’ ଅଧ୍ୟକ୍ଷ ଶ୍ରୀ ହନ୍ତାଳ ଅନୁରୋଧ କରିଥିଲେ। ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଜାତୀୟ ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟିର ଆନ୍ଧ୍ର ପ୍ରଦେଶ ଶାଖା ଅଧ୍ୟକ୍ଷ ରାମ ଗୋପାଳ ଗାଡୁତୁରି ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.