ପୋଡାମାରି ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 4,180

ସାନଖେମୁଣ୍ଡି,୦୩/୦୭(ପିପିଟି);ରାଜ୍ୟ ସରକାରଙ୍କ ମୋ ନିବେଦନ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଅଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ପଞ୍ଚାୟତ ସଦର ମହକୁମାରେ ପହଞ୍ଚି ପଞ୍ଚାୟତରେ ନିର୍ବାହ କରାଯାଇଥିବା ସରକାରୀ ଜନମଙ୍ଗଲ ଯୋଜନାର ସଫଳତା ତର୍ଜମା ସହିତ ଏଥିନେଇ ଉପୁଜିଥିବା ସମସ୍ୟା ଜନିତ ଅଭିଯୋଗର ଜନଶୁଣାଣୀ ବ୍ୟବସ୍ଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ସାନଖେମୁଣ୍ଡି ବ୍ଲକ ତରଫରୁ ମୋ ନିବେଦନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ଜଣାଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ପୋଡାମାରି ପଞ୍ଚାୟତରେ ଅନୁଷ୍ଠିତ ମୋ ନିବେଦନ କାର୍ଯ୍ୟକ୍ରମ ଅନ୍ତର୍ଗତରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଏବଂ ତହସିଲଦାର ଡ଼. ଶ୍ରୀନିବାସ ବେହେରା ଯୋଗଦେଇ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶ୍ୟକ ସରକାରୀ ଯୋଜନାର ସଫଳତାକୁ ତର୍ଜମା କରିଛନ୍ତି । ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ଜାନକୀ ରାମ ପାତ୍ର ସଂଯୋଜନା କରି ବିଗତ ଦିନରେ ପଞ୍ଚାୟତରେ କରାଯାଇଥିବା ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ , ପାନୀୟଜଳ ବ୍ୟବସ୍ଥା , ମହିଳା ସଶକ୍ତିକରଣ,ପରିବେଶ ସଂରକ୍ଷଣ ଓ ବର୍ଜ୍ୟବସ୍ତୁ ପରିଚାଳନା ଆଦି ବିଷୟକୁ ନେଇ ସାଧାରଣରେ ତଥ୍ୟ ପ୍ରଦାନ କରିଥିଲେ । ଏହା ସହିତ ସମ୍ପ୍ରତି ଚାଲୁ ରହିଥିବା ମନରେଗା ଯୋଜନା ଜନିତ କାର୍ଯ୍ୟ ବିଶେଷକୁ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରିଛନ୍ତି । ଗ୍ରାମର ବୁଦ୍ଧିଜୀବୀ ଜନସାଧାରଣଙ୍କ ସହ ସମସ୍ତ ୱାର୍ଡ ସଭ୍ୟ , ନାଏବ ସରପଞ୍ଚ , ରୋଜଗାର ସେବକଙ୍କ ଉପସ୍ଥିତିରେ ବିଡ଼ିଓ ଏବଂ ତହସିଲଦାର ପଞ୍ଚାୟତର କାର୍ଯ୍ୟାବଳୀକୁ ନେଇ ଆଲୋଚନା କରିବା ସହିତ ଜନସାଧାରଣଙ୍କ ଦ୍ଵାରା ଆଗତ ଅଭିଯୋଗକୁ ଲିପିବଦ୍ଧ କରିଛନ୍ତି ।

(ରିପୋର୍ଟ – ଆରତ କୁମାର ହୋତା। )

Leave A Reply

Your email address will not be published.