ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ।

0 383

ସାନଖେମୁଣ୍ଡି,୩୦/୦୭(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଗୁଣସାଗର ଗ୍ରାମ ବେଢ଼ା ବନ୍ଧ ପୋଖରୀରେ ଶନିବାର ମଧ୍ୟାହ୍ନରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପକ୍ଷରୁ ପୋଖରୀରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ପାଟପୁର ଥାନା ଗୁଣସାଗର ଗ୍ରାମର ରାଜୁ ମହାନ୍ତି (୬୨) ବୋଲି ସୂଚନା ମିଳିଛି । ଖବରନୁଯାୟୀ , ବୃଦ୍ଧ ଜଣକ ଆଜି ମଧ୍ୟାହ୍ନ ସାଢେ ୦୧ ଘଣ୍ଟ ସମୟରେ ନିକଟସ୍ଥ ପୋଖରୀକୁ ଶୌଚ ନିମନ୍ତେ ଯାଇଥିବା ବେଳେ ସାଙ୍ଗରେ ୧୦ ବର୍ଷର ନାତିକୁ ଧରି ଯାଇଥିଲେ । ତେବେ ପୋଖରୀରେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ବୁଡି ଯାଇଥିବା ବେଳେ ନାତିଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ଦୌଡି ଆସିଥିଲେ । ଏହାପରେ ଗ୍ରାମବାସୀ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ ମୁଖ୍ୟ ଆଗ୍ନିକ ରାଜେନ୍ଦ୍ର ନାରାୟଣ ଦାସ ସମେତ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ପୋଖରୀ ଭିତରୁ ବୃଦ୍ଧଙ୍କୁ ଉଦ୍ଧାର କରି ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ଉପସ୍ଥିତ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପାଟପୁର ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.