କନ୍ଧମାଳ,୦୬/୧୦(ପିପିଟି): ପବିତ୍ର ଦଶହରା ପର୍ବରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି ଯାଇ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡାର ହୋଇଥିବା ବେଳେ ତାଙ୍କ ନା ଗୁମାନ ସିଂ ସାହାଣୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ଗତକାଲି ବନ୍ଧଗଡ଼ ଗାଁରେ ରହୁଥିବା ତାଙ୍କ ଭଉଣୀ ଘରକୁ କୌଣସି କାମରେ ଆସିଥିଲେ । ସକାଳ ପ୍ରାୟ ଦଶଟା ସମୟରେ ତାଙ୍କ ଭିଣୋଇଙ୍କ ସହ ପୋଖରୀକୁ ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ିଯାଇ ଥିଲେ । ଖବର ପାଇଁ ସାରଙ୍ଗଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇଘଣ୍ଟା ପରିଶ୍ରମ କଲା ପରେ ପୋଖରୀରୁ ମୃତ ଦେହ ଉଦ୍ଧାର ହୋଇଥିଲା । ଅନ୍ୟପଟେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବର ପଞ୍ଚନାମା କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)