ମାଲକାନଗିରି,୦୫/୦୧(ପିପିଟି): ମାଲକାନଗିରି ଜିଲ୍ଲା ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗ୍ରାମ ନିକଟସ୍ଥ ପୋଖରୀରୁ ଏକ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଆଜି ସକାଳ ୧୨ ସମୟରେ କିଛି ଗ୍ରାମବାସୀ ଗ୍ରାମ ପୋଖରୀରୁ ମାଛ ଧରିବା ସମୟରେ ଗୋଟିଏ କୁମ୍ଭୀର ଉପରକୁ ଉଠିବାର ଦେଖିଥିଲେ । ଦେଖିବା କ୍ଷଣି ସଂଗେ ସଂଗେ ଗ୍ରାମବାସୀ ବାଲିମେଳା ବନ ବିଭାଗକୁ ଜଣାଇଥିଲେ । ବନପାଳ ଶିବାନନ୍ଦ ଲେଙ୍କା ଓ ବାଣିଶ୍ରୀ ଦେବୀ ଏବଂ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । କୁମ୍ଭୀରଟିକୁ ବାଲିମେଳା ସ୍ଥିତ ପଶୁ ଚିକିତ୍ସାଳୟକୁ ନେଇ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯାଇଥିଲା ।
କୁମ୍ଭୀରଟିକୁ ୨ଦିନ ବନ ବିଭାଗରେ ପର୍ଯ୍ୟବେକ୍ଷଣରେ ରଖାଯିବା ନେଇ କହିଛନ୍ତି ଡାକ୍ତର । ଏହାପରେ ଏହି କୁମ୍ଭୀରଟିକୁ କୌଣସି ଜଳା ସ୍ରୋତ ନଦୀ କିମ୍ବା ବାଲିମେଳା ଜଳ ଭଣ୍ଡାରରେ ଛଡ଼ାଯିବ ବୋଲି ବନପାଳ ସୂଚନା ଦେଇଛନ୍ତି । କିନ୍ତୁ ଏହି କୁମ୍ଭୀରଟି କେଉଁଠୁ ଆସିଛି ତାହା ସ୍ବଷ୍ଟ ଜଣାପଡି ନାହିଁ ।ଅତ୍ଯଧିକ ବର୍ଷା ସମୟରେ କୁମ୍ଭୀରଟି ପାଖ ନଦୀ କିମ୍ଭା ଜଳ ଭଣ୍ଡାରରୁ ଆସିଥିବ ବୋଲି ଅନୁମେୟ । କୁମ୍ଭୀରଟିର ଲମ୍ବ ୪ ଫୁଟ ୫ ଇଞ୍ଚ ହୋଇ ଥିବା ବେଳେ ବୟସ ପ୍ରାୟ ୬ବର୍ଷ ହେବ ବୋଲି ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post