ଭଞ୍ଜନଗର,୦୩/୦୪(ପିପିଟି); ତାରସିଙ୍ଗି ଥାନା ଅନ୍ତର୍ଗତ ଜଡ଼ା ଘାଟୁଣି ଗ୍ରାମରେ ପୂର୍ବ ଶତ୍ରୁତା କାରଣରୁ ଜଣେ ଗରୀବ ହରିଜନ ମହିଳାଙ୍କୁ ସରକାରଙ୍କ ତରଫରୁ ମିଳିଥିବା ଇନ୍ଦିରା ଆବାସ ଗୃହକୁ ତାର ପଡୋଶୀ ଭାଙ୍ଗି ଛାରଖାର କରିଦେଇଛନ୍ତି। ଏବେ ଉକ୍ତ ମହିଳା ଜଣଙ୍କ ବେସାହାରା ହୋଇ ପଡିଛନ୍ତି।ସୂଚନା ମୁତାବକ ଗତବର୍ଷ ଶତ୍ରୁଘନ ନାୟକ ଓ ପତ୍ନୀ ଜାନକୀ ନାୟକଙ୍କୁ ଇନ୍ଦିରା ଆବାସ ଯୋଜନାରେ ଏକ ଘର ଅନୁମୋଦନ ହୋଇଥିଲା।ସେହି ଘର ତିଆରି ସମୟରେ ଘରକୁ ଲାଗି ରହୁଥିବା ଦଣ୍ଡାସି ଗୌଡ଼ ତାର ପତ୍ନୀ ହାଡ଼ିଆଣି ଗୌଡ଼,ପୁଅ ମଙ୍ଗୁଳୁ ଗୌଡ଼,ପ୍ରଭାତ ଗୌଡ଼ ଓ ଝିଅ ପୁଷ୍ପାଞ୍ଜଳି ଗୌଡ଼ ମିଶି ସେହି ଘରର ପୁନାଦି ଖୋଳି ଦେଇଥିଲେ। ଯାହାଫଳରେ ଶତ୍ରୁଘନ ଏସମ୍ପର୍କରେ ତାରସିଙ୍ଗି ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ଏହି କେଶ ଭଞ୍ଜନଗର କୋର୍ଟରେ ବିଚାରାଧୀନ ଅବସ୍ଥାରେ ରହିଛି। ଘର ତିଆରି ପରେ ରୋଜଗାର କରିବାକୁ ଶତ୍ରୁଘନ ରାଜ୍ୟ ବାହାରକୁ ଚାଲି ଯାଇଥିବା ବେଳେ ଜାନକୀ ଏକୁଟିଆ ଗ୍ରାମରେ ରହୁଥିଲା।ହେଲେ ଗତ ୩୧ତାରିଖରେ ଜାନକୀ ଗାଲେରୀ ଦଣ୍ଡଯାତ୍ରା ଦେଖିବାକୁ ଯାଇ ବିଳମ୍ବିତ ରାତିରେ ଫେରି ଦେଖିଲା ବେଳକୁ ଘର ଛାତ ଓ କାନ୍ଥ ସବୁ ଭୁଶୁଡ଼ି ପଡିଛି।ଘରେ ଥିବା ସମସ୍ତ ଜିନିଷ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ପରେ ଦଣ୍ଡାସିର ପରିବାର ଏହି କାଣ୍ଡ ଘଟାଇଥିବା ଜାଣିପାରି ଜାନକୀ ଗ୍ରାମବାସୀଙ୍କୁ ଏସମ୍ପର୍କରେ ଜଣାଇଥିଲା। ଗ୍ରାମବାସୀ ଏକ ବୈଠକରେ ଏହାର ସମାଧାନ ପାଇଁ ଦଣ୍ଡାସି କୁ ଡ଼ାକି ପଚରା ଉଚରା କରୁଥିବା ବେଳେ ତାର ଝିଅ ପୁଷ୍ପାଞ୍ଜଳି ଆସି ଆମେ କୌଣସି ନିୟମ ମାନିବୁନାହିଁ, ତମେ ଯାହା କରିବାର ଅଛି କର କହି ବାପାକୁ ସଭା ମଝିରୁ ଟାଣି ଟାଣି ଘରକୁ ନେଇ ଯାଇଥିଲା। ହେଲେ ଘଟଣାର କୌଣସି ଫଇସଲା ହୋଇ ନପାରିବାରୁ ଜାନକୀ ପୁଣିଥରେ ତାରସିଙ୍ଗି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )