ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ମୁଣ୍ଡା ବାନ୍ଧିଯାଇଥିବା ରକ୍ତ ଟେଳାଟିକୁ ବାହାର କରିବାକୁ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା ଓ ସେ ଗଭୀର କୋମା ଅବସ୍ଥାରେ ଥିଲେ।ଏହା ପରେ ଫୁସ୍ଫୁସ୍ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ତାରେ ଅବନତି ଘଟିଚାଲିଥିଲା।ସେ କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ମଧ୍ୟ ଅଗଷ୍ଟ ୧୦ ତାରିଖ ଦିନ ତାଙ୍କର ଅସ୍ତ୍ରୋପଚାର କରାଯିବା ପୂର୍ବରୁ ଜଣାପଡ଼ିଥିଲା । ଶ୍ରୀ ମୁଖାର୍ଜୀ ୧୯୬୯ ରେ ସକ୍ରୀୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ସରକାରରେ ବିଭିନ୍ନ ସମୟରେ ବୈଦେଶିକ ମନ୍ତ୍ରୀ,ପ୍ରତିରକ୍ଷା ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ରାଷ୍ଟ୍ରପତି ଭାବରେ ୨୦୧୨ ଠାରୁ ୨୦୧୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୨୦୦୮ରେ ସେ ପଦ୍ମ ବିଭୂଷଣ ଉପାଧି ପାଇଥିଲେ ଏବଂ ୨୦୧୯ରେ ଭାରତରତ୍ନ ଉପାଧି ପାଇଥିଲେ ।