ଭୁବନେଶ୍ବର : ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ୨୦୦୦ ରୁ ୨୦୦୪ ପର୍ଯ୍ଯନ୍ତ ବିଧାନସଭାର ବାଚସ୍ପତି ଥିଲେ। ୧୯୭୧-୭୪ ମହଙ୍ଗା ବିଧାନସଭାରୁ ନିର୍ବାଚିତ ହୋଇ ଶିକ୍ଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୭୭-୮୦ ଜନତା ପାର୍ଟିରୁ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୯୦-୯୫ ଜନତା ଦଳରୁ ମହଙ୍ଗାରୁ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ରହିଥିଲେ। ୧୯୬୪ ମସିହାରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ସ୍ବର୍ଗତ କରଙ୍କ ପତ୍ନୀ ଅନିମା ମିଶ୍ର ଇଂରାଜୀ ସାହିତ୍ୟର ଜଣେ ଅବସରପ୍ରାପ୍ତ ପ୍ରଫେସର । ବଡ ପୁଅ ସୁମନ କର ମଧ୍ୟ ଜଣେ ଇଂରାଜୀରେ ଅଧ୍ଯାପକ। ସାନପୁଅ ସୋଭନ୍ କର ଜଣେ ଭାରତୀୟ ରାଜସ୍ବ ସେବା ଅଧିକାରୀ ଭାବରେ ନୂଆଦିଲ୍ଲୀରେ ଭାରତ ସରକାରଙ୍କ ଅଧିନରେ କାର୍ଯ୍ୟରତ। ସ୍ବର୍ଗତ କରଙ୍କ ପରଲୋକ ଓଡିଶା ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ସ୍ବର୍ଗତ କରଙ୍କ ମୃତ୍ୟୁରେ ରାଜନୈତିକ ଓ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।