ଦିଗପହଣ୍ଡି, ୦୪ / ୧୨(ପିପିଟି); କଥାରେ ଅଛି ଜଳ ବିନା ସୃଷ୍ଟି ଅସମ୍ଭବ । ଜଳ ହିଁ ଜୀବନ । ପାନୀୟ ଜଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ଗାଁ ଠୁ ସହର ଯାଏଁ ସବୁଠି ପାନୀୟ ଜଳ ପ୍ରକଳ୍ପ କରି ସମସ୍ତ ଜନସାଧାରଣଙ୍କୁ ପାଣି ଯୋଗାଇଥାନ୍ତି । ହେଲେ କେଉଁଠି ଏ ଜଳ ପ୍ରକଳ୍ପ କାମ ଦେଉଛି ତ ଆଉ କେଉଁଠି ଖାଲି ସୁନ୍ଦରକୁ ନିର୍ମାଣ କରି ରଖାଯାଇଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ରେ ଅତି ସୁନ୍ଦର ଭାବେ ୨ଗୋଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଆଜକୁ ପ୍ରାୟ ୧୦ ବର୍ଷ ହେଲା ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଥିଲେ ଗ୍ରାମରେ ହେଲେ ସେହି ପ୍ରକଳ୍ପ ଟି ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିପାରି ନାହିଁ କି ପାଣି ମଧ୍ୟ କେବେ ଭର୍ତି କରାଯାଇନାହିଁ ଟ୍ୟାଙ୍କରେ । ଭଗ୍ନ ଅବସ୍ଥାରେ ପଡ଼ିରହିଛି ଟ୍ୟାଙ୍କ ଟି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରରେ ଏହା ପଡୁନି । ଅଚିନ୍ତାରେ ଅଛନ୍ତି ବିଭାଗୀୟ ଅଧିକାରୀ । ଲୋକେ ପାଣିପାଇଁ ନା ନା ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ କୌଣସି ଫରକ ପଡୁନି ଅଧିକାରୀଙ୍କ ଉପରେ । ଅନ୍ୟ ଏକ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନି । ଗତ ମଇ ମାସରେ ନୂତନ ଟ୍ୟାଙ୍କର ଛାତ ଭୁଶୁଡ଼ି ପଡ଼ିଥିଲା । ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଏହା ହୋଇଥିବା ଅଭିଯୋଗ ମଧ୍ୟ ଆସିଥିଲା । ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଚାପିଦେଇଥିଲେ । ୨ କୋଟି ୩୩ ଲକ୍ଷ ଟଙ୍କାର ଏହି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ କିନ୍ତୁ କାମରେ ଆସୁନି । କେବେ କୁମ୍ଭକର୍ଣ ନିଦ ଭାଙ୍ଗିବ ଅଧିକାରୀଙ୍କ ତାହା ବାକି ରହିଲା ଦେଖିବାକୁ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କାମରେ ଆସିପାରୁନି ଜଳ ପ୍ରକଳ୍ପ । ଏଠି ପ୍ରଶ୍ନ ଉଠୁଛି ୫୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାହିଁକି କାମରେ ଆସୁନି ଏବଂ ନୂତନ ପ୍ରକଳ୍ପ କେବେ କାର୍ଯ୍ୟକାରି ହେବ ଏହା ଦେଖିବାକୁ ବାକି ରହିଲା ।
(ରିପୋର୍ଟ- ଆରତ କୁମାର ହୋତା। )