ରାୟଗଡା,୩୦/୧୧(ପିପିଟି);ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ନିଲାମଗୁଡା ଗ୍ରାମ ପଂଚାୟତ ଅଧୀନ ଡୁମୁରିଗୁଡା ଠାରୁ କିଛି ଦୁରରେ ନିଜ ଜମିରେ ଘର କରି ରୁହନ୍ତି କିଛି ପରିବାର। ସେମାନଙ୍କ ମଧ୍ୟରୁ ଜଣେ ଚାଷୀ ଲକ୍ଷ୍ମୀନାରାୟଣ ଶବରଙ୍କ ନିଜ ସ୍ତ୍ରୀ କୁନି ଶବରଙ୍କ ଗର୍ଭଯନ୍ତ୍ରଣା ହେତୁ ରବିବାର ରାତି ୮ ଘଣ୍ଟା ସମୟରେ ୧୦୨ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଡ୍ରାଇଭର କମଳାକାନ୍ତ ପାଢ଼ୀ ଫୋନ ଅନୁସାରେ ପହଁଚିଲେ ଡୁମୁରିଗୁଡା ଠାରେ,ମାତ୍ର ସେଠାରୁ ଗର୍ଭବତୀ କୁନି ଶବରଙ୍କ ନିକଟକୁ ଯିବାକୁ କୌଣସି ରାସ୍ତା ନଥିବାରୁ ଚାଲି ଚାଲି ଯାଇ ପହଁଞ୍ଚିଲେ। ମହିଳା ଜଣକ ଗାଡ଼ି ନିକଟକୁ ଆସିବାକୁ ଅସମର୍ଥ ଥିବାରୁ ଡ୍ରାଈଭର କମଳାକାନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ଲୁଗା ସାହାଯ୍ୟ ରେ ଭାର କରି ବହି ଆଣିବାକୁ ଚେଷ୍ଟା କରିଥିଲେ। ରାତ୍ର ସମୟ ହେତୁ କୌଣସି ବ୍ୟକ୍ତି ନଥିବାରୁ ଗର୍ଭବତୀ ମହିଳାଙ୍କ ସ୍ଵାମୀ ଲକ୍ଷ୍ମୀନାରାୟଣ ଏବଂ ଡ୍ରାଇଭର କମଳାକାନ୍ତ ବୋହି ଆଣିଲେ ଗାଡି ପାଖକୁ। ମାତ୍ର ଗାଡ଼ି ନିକଟରେ ହିଁ ପ୍ରସବ ହୋଇ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ କୁନି ଶବର। ପ୍ରବଳ ଶୀତ ସତ୍ତ୍ୱେ ଡ୍ରାଇଭର ଜଣକ ପ୍ରସୂତି ଏବଂ ନବଜାତ ଶିଶୁକୁ ଘୋଡାଘୋଡ଼ି କରି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଉଭୟଙ୍କୁ ପରୀକ୍ଷା କରି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ,ମା ଏବଂ ପୁଅ ଉଭୟ ସୁସ୍ଥ ରହିଛନ୍ତି। ସୋମବାର ସକାଳୁ ଏହି ଖବର ଚାରିଆଡ଼େ ଖେଳି ଯାଇଥିଲା ,ଡ୍ରାଇଭର କମଳାକାନ୍ତ ପାଢ଼ୀଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ସ୍ଥାନୀୟ ଜନ ସାଧାରଣ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )