ବ୍ରହ୍ମପୁର,୧୫/୧୧(ପିପିଟି): ହିଞ୍ଜିଳି ବ୍ଳକ ମନରେଗା ଯୋଜନାରେ ବହୁ ଜାଗାରେ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦିତ ହୋଇଛି । କିନ୍ତୁ ଏହି ଅଞ୍ଚଳର ସବୁ କାର୍ଯ୍ୟ ନିମ୍ନ ମାନର ହୋଇଥିଲେ ମଧ୍ୟ ପ୍ରଶାସନିକ ଦବଦବା ଯୋଗୁଁ କଥା ପଦାକୁ ଆସିବରେ ଅଟକି ଯାଇଛି ।କିନ୍ତୁ ଏମିତି କିଛି ବିଷୟ ଯାହା ଦୁର୍ନୀତିକୁ ଲୁଚାଇବାରେ ସକ୍ଷମ ନ ହୋଇ ଦୁର୍ନୀତି ଜନିତ ବିଷୟ ବସ୍ତୁ ଦାଣ୍ଡରେ ପଡି ହାଟରେ ଗଡ଼ିବା ସହ ମୁଖ୍ୟମନ୍ତ୍ରୀଙ୍କ ଧଳା ପାଇଜାମାରେ କଳା ଦାଗ ନିଜେ ଅଞ୍ଚଳର ଉଦଣ୍ଡ ପ୍ରଶାସନିକ କର୍ମଚାରୀ ବୋଳି ଦେଇଛନ୍ତି ବୋଲି ହିଞ୍ଜିଳି ଜନସାଧାରଣରେ ଆଲୋଚନାର ଖୋରାକ ସାଜିଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିବ୍ଳକ ଅନ୍ତର୍ଗତ ପୁଟିଆପଦର ପଞ୍ଚାୟତରେ ମନରେଗା ମାଧ୍ୟମରେ ହୋଇଥିବା ପୋଖରୀ ସୌନ୍ଦର୍ଯ୍ୟ କରଣର ନିମ୍ନ ମାନର କାର୍ଯ୍ୟ । ଉକ୍ତ କାର୍ଯ୍ୟ ୧୦ଲକ୍ଷ ଟଙ୍କା ବିନିମୟରେ ଚାଲୁ ରହିଥିବା ବେଳେ ବିନା ନାଗରିକ ସୂଚନା ଫଳକରେ ଏହି କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି । ଠକେଇ କିମ୍ବା ସ୍ଥାନୀୟ ଜନସାଧାରଣଙ୍କୁ ଭୁଆଁ ବୁଲେଇବା ମନ ବୃତି ରଖି ଏଭଳି କାର୍ଯ୍ୟ କରାଯାଇଥିବା ଆଲୋଚନା ହେଉଛି । ମନରେଗାରେ ଏବଂ ଯେ କୌଣସି ସରକାରୀ କାର୍ଯ୍ୟରେ ନାଗରିକ ମାନଙ୍କ ସୂଚନା ପାଇବା ଅର୍ଥରେ ଏଭଳି ବିବରଣୀ ଫଳକ ଲଗାଯାଇଥାଏ ।କାର୍ଯ୍ୟ ସମ୍ପାଦନା ପ୍ରାୟ ୮୦ ପ୍ରତିଶତ ସରି ଯାଇଥିଲେ ମଧ୍ୟ ନାଗରିକ ସୂଚନା ଫଳକ ଲାଗିନଥିଲା କିପରି ? ଉକ୍ତ ବିଷୟକୁ କେନ୍ଦ୍ର କରି ହିଞ୍ଜିଳି ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ରଙ୍କୁ ପ୍ରଶ୍ନ କରାଯିବାରୁ ପ୍ରତିକ୍ରିୟାରେ କହିଥିଲେ ଯେ, ଘଟଣା ସ୍ଥଳରେ ନାଗରିକ ସୂଚନା ଫଳକ ଲାଗି ନାହିଁ ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରି କରି ଦିନେ ଦୁଇ ଦିନ ମଧ୍ୟରେ ଲଗାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ମତ ପ୍ରକାଶ କରିଥିଲେ । ଅର୍ଥାତ ଏହା ସ୍ଥାନୀୟ ଜନସାଧାରଣଙ୍କୁ ବାଟମାରଣା ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବା ନୁହେଁ ତ ? ଯେଉଁ ଠାରେ ଜନସାଧାରଣ ବିକାଶ ଉପରେ ଜାଣିବା ଅନ୍ଧକାରରେ ରହୁଛନ୍ତି, ତାହାକୁ ବିକାଶ କୁହାଯାଇ ପାରିବ କି ? ଏଣୁ ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ହିଞ୍ଜିଳିର ବିଧାୟକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଷୟକୁ ଗୁରୁତର ସହ ବିଚାର କରି କାର୍ଯ୍ୟରେ ସଂଶ୍ଳିଷ୍ଟ ସରକାରୀ କର୍ମଚାରୀ ମାନଙ୍କ ଉପରେ ଦାୟିତ୍ୱ ହୀନତା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପୁଟିଆପଦର ଗ୍ରାମ ପଞ୍ଚାୟତ ବାସୀଙ୍କ ଠାରୁ ଦାବି ହୋଇଛି ।