ମାଲକାନଗିରି,୧୨/୦୧(ପିପିଟି): କୋରୁକୋଣ୍ଡା ବ୍ଲକ ପିଟାଘାଟ ମଣ୍ଡିରୁ ବୁଧବାର ଦିନ ୮୩ କ୍ବିଣ୍ଟାଲ ଧାନ ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ଜବତ କରାଯାଇଛି ।ଫଳରେ ମାଲକାନଗିରି ଜିଲ୍ଲାର ସମସ୍ତ ଧାନ ମଣ୍ଡିଗୁଡିକରେ ଦଲାଲମାନେ ସକ୍ରୀୟ ଥିବା ଜଣା ପଡିଛି । ପ୍ରାପ୍ର ସୂଚନା ଅନୁସାରେେ ବୁଧବାର ଦିନ ପିଟାଘାଟା ମଣ୍ଡିରେ ଧାନ ବିକ୍ରୟ ଲାଗି ଆଖ ପାଖ ଅଞ୍ଚଳରୁ ଚାଷୀମାନେ ଧାନ ଆଣିଥିବା ବେଳେ କିଛି ଦଲାଲ ଆଦିବାସୀ ଚାଷୀଙ୍କୁ ମୋହରା କରି ଧାନ ବିକ୍ରୟ କରିଥାନ୍ତି । ଧାନ ମଣ୍ଡି ଗୁଡିକରୁ ଦଲାଲ ମୁକ୍ତ ହେବା ପାଇଁ ସରକାର ଯେତେ ଯାହା କୌଶଳ ଅବଲମ୍ବନ କଲେ ମଧ୍ଯ ଦଲାଲଙ୍କ କ୍ଷୀପ୍ର ବୁଦ୍ଧି ଆଗରେ ସବୁ ଯୋଜନା ବିଫଳ ହେଉଥିବା ମନେ ହେଉଛି । ପିଟାଘାଟା ଧାନମଣ୍ଡିକୁ ଇର୍ମା ସୋଡି ୬୩.୯୧ କ୍ବିଣ୍ଟାଲ ଧାନ ବିକ୍ରୟ ଲାଗି ଆଣିଥିବା ବେଳେ ବିକ୍ରୟ ସମୟରେ କେତେ ଧାନ ଆଣିଥିବା ସଠିକ ଉତ୍ତର ଦେଇ ପାରିନଥିଲା ।ସେହିପରି ନରସିଂହ ଧରାବଟ ୧୯.୯୭ କ୍ବିଣ୍ଟାଲ ଧାନ ମଣ୍ଡିକୁ ବିକ୍ରୟ ଲାଗି ଆଣିଥିଲେ ମଧ୍ଯ ନିଜ ଧାନ ସଂପର୍କରେ ସଠିକ ତଥ୍ଯ ଦେଇ ପାରି ନଥିଲା । ଫଳରେ ସନ୍ଦେହ ଉପୁଜିବାରୁ ଏହି ଧାନ କୌଣସି ଦଲାଲ ପ୍ରଛଦପଟ୍ଟରେ ରହି ଆଦିବାସୀ ଚାଷୀଙ୍କୁ ମୋହରା କରି ବିକ୍ରୟ ହେଉଥିବା ହେତୁ ସମସ୍ତ ଧାନକୁ ଜବତ କରା ଯାଇ କୋରୁକୋଣ୍ଡା ସିଂହାସନୀ ରାଇସ ମିଲକୁ ଜିମା ଦିଆ ଯାଇଥିଲା । ଏହି ଚଢାଉ କାର୍ଯ୍ଯରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ଦାଶ,କୋରୁକୋଣ୍ଡା ଯୋଗାଣ ନିରୀକ୍ଷକ ବ୍ଯୋମକେଶ ମାଝି ପ୍ରତ୍ଯେକ୍ଷ ଭାବରେ ଉପସ୍ଥିତ ରହି ଜବତ କରିଥିଲେ । ପ୍ରକାଶ ଥାଉ କି,ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ୬୫ ଗୋଟି ରହିଥିଲା ବେଳେ ସମସ୍ତ ମଣ୍ଡିରେ ଦଲାଲମାନେ ସକ୍ରୀୟ ଥିବା ଅଭିଯୋଗ ହୋଇଛି । କିଛି ଦଲାଲ ଧାନ କ୍ବିଣ୍ଟାଲକୁ ୧୨ ଶହ ଟଙ୍କାରେ କଂରୟ କରି ମଣ୍ଡିଗୁଡିକରେ ୧୯ ଶହ ଟଙ୍କାରେ ଆଦିବାସୀ ଚାଷୀଙ୍କ ସହାୟତାରେ ବିକ୍ରି କରି ଲାଭାନ୍ବିତ ହେଉଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)