ସାନଖେମୁଣ୍ଡି,୧୭/୦୭(ପିପିଟି): ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ଝରଣ ଗାଁ ନିକଟ କାଜୁ ଜଙ୍ଗଲ ରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ଗତକାଲି ଅପରାହ୍ନରେ କିଛି ଦୁବୃର୍ତ୍ତ ଏକ କାରରେ ଆଣି ମୃତ ଦେହକୁ ଫୋପାଡ଼ି ଦେଇ ପୋଡି ଦେବା ପାଇଁ ଉଦ୍ୟମ କରୁଥିବା ବେଳେ ନିକଟରେ ଭଲିବଲ ଖେଳୁଥିବା ଯୁବକଙ୍କୁ ଦେଖି କାରରେ ଆସିଥିବା ଲୋକ ଶବ କୁ ଛାଡି ଚାଲିଯାଇଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ଓ ପାଟପୁର ପୋଲିସ ଟିମ୍ ପହଞ୍ଚି ଥିଲେ ଘଟଣା ସ୍ଥଳରେ । ଗଞ୍ଜାମ ଏ ଏସ ପି, ଆସିକା ଏସଡିପିଓ, କବିସୂର୍ଯ୍ୟନଗର ପୋଲିସ ଟିମ ସହ ସାଇଁଟିଫିକ ଟିମ ପହଞ୍ଚି ତଦନ୍ତକୁ ଆଗେଇଥିଲେ । ତେବେ ଦୁବୃର୍ତ୍ତ ମାନେ ଯେଉଁ ଗାଡି ରେ ଆସିଥିଲେ ସେହି ଗାଡି ନମ୍ବରକୁ ଗ୍ରାମର କିଛି ବ୍ୟକ୍ତି ରଖିଥିବା ଯୋଗୁଁ ପୋଲିସ ତାହା ଜଣାଇଥିଲେ, ଏହାପରେ ହତ୍ୟା ର ଶିକାର ହୋଇଥିବା ବ୍ୟକ୍ତି କବିସୂର୍ଯ୍ୟନଗର ଥାନା ଏ ଗୋବିନ୍ଦପୁର ର ଟୁଟୁ ନାହାକ ବୋଲି ଜଣାପଡିଥିଲା । ଏହାପରେ ତାଙ୍କ ପରିବାର ଲୋକ ଆସି ଶବ ଚି଼ହ୍ନଟ କରିଥିଲେ, ପାରିବାରିକ କଳହରୁ ଏହି ନିର୍ମମ ହତ୍ୟା ହୋଇଥିବା ଓ ହତ୍ୟାର ରହସ୍ୟ ଶୀଘ୍ର ଉନ୍ମୋଚନ ହୋଇଯିବ ବୋଲି କହିଛନ୍ତି ପୋଲିସ । ସୁଚନାନୁସାରେ ଟୁଟୁ ବ୍ରହ୍ମପୁରରେ ଦୋକାନ କରୁଥିବା ବେଳେ କାଲି କବିସୂର୍ଯ୍ୟନଗର ଘରକୁ ଯାଇଥିଲା । ସେଠାରୁ ତାଙ୍କ ସାନ ଭାଇ ବୋହୂର କିଛି ସମ୍ପର୍କୀୟ ଭାଇ ତାଙ୍କୁ ଘରୁ କଥା ହେବାକୁ ଡାକି ଅପହରଣ କରିନେଇଥିବା ଗତକାଲି କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାକୁ ସେଠାରୁ ଅପହରଣ କରି ଝରଣ ଗ୍ରାମ ନିକଟ ଶୁନଶାନ ଜାଗାରେ ମାରି ପୋଡି ଦେବାକୁ ଉଦ୍ୟମ କରିଥିବା ପୋଲିସ ଜଣାଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )