ଯାଜପୁର,ତା-୧୩/୧୦(ପିପିଟି); ଯାଜପୁର ଜିଲା ପାଣିକୋଇଲି ଦୁଇଟି ରାଜପଥ ୧୬ ଓ ୨୦ର ସଂଯୋଗସ୍ଥଳ । ଭୌଗଳିକ ଦୃଷ୍ଟିରୁ ଏହା ବହୁ ଗୁରୁତ୍ୱ ବହନ କରିଥାଏ । ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟତର ସୁଯୋଗ ରହିଛି । ହେଲେ ଏଠାରେ କୌଣସି ଟ୍ରାଫିକ ବ୍ୟବସ୍ଥା କରାଯାଇ ନାହିଁ କି ଟ୍ରାଫିକ ପୁଲିସ ମୁତୟନ କରାଯାଇ ନାହିଁ । ଫଳରେ ଘଂଟା ଘଂଟା ଧରି ରାସ୍ତା ଜାମ ରହୁଛି । ଆମ୍ବୁଲାନ୍ସ ଟିଏ ବି ଯାଇପାରୁ ନି । ଫଳରେ ପୁଲିସକୁ ନାକେଦମ ହେବାକୁ ପଡୁଛି । ପ୍ରତ୍ୟେହ ହଜାର ହଜାର ସଂଖ୍ୟା ଲୁହାପଥର ବୋଝେଇ ଭାରିଯାନ ପାଣିକୋଇଲି ଦେଇ ଯାତାୟତ କରୁଛି । ଚାଳକ ମାନେ ରାଜପଥରେ ଗୋଟିଏ ଲାଇନରେ ଯିବା ପରିବର୍ତ୍ତେ ଦୁଇ ଲାଇନ ଓ କେତେକ ସ୍ଥାନରେ ୩ ଲାଇନ କରିଦେବାରୁ ଯାତାୟତ ଠପ ହୋଇଯାଉଛି । ବିଭିନ୍ନ ସ୍ଥାନରେ ଗାଡି ଜାମ ଯୋଗୁ ଗାଡିଗୁଡିକୁ ରାଜପଥରେ ଅଟକାଯାଉଛି । ଯେତେବେଳେ ଗାଡି ଗୁଡିକୁ ଛଡାଯାଉଛି ସେତେବେଳେ ରାସ୍ତା ଜାମ ରହୁଛି । ବେପରୁଆ ଗାଡି ଲୋଡିଙ୍ଗ ଯୋଗୁ ରାସ୍ତାରେ ଯାତାୟତ କରିବା ଗାଡି ସଂଖ୍ୟା ଠାରୁ ବହୁ ପରିମାଣରେ ଅଧିକ ଗାଡି ଲୋଡିଙ୍ଗ ଯୋଗୁ କେଉଁଝରରୁ ପାରଦ୍ୱୀପ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଆଜି ଏକାଳୀନ ହଜାର ହଜାର ସଂଖ୍ୟାରେ ଲୁହାପଥର ବୋଝେଇ ଗାଡି ଆସିବାରୁ ପୁଲିସକୁ ଏହାର ନିୟନ୍ତ୍ରଣ କରିବା କଷ୍ଟ ସାଧ୍ୟ ହୋଇପଡିଛି । ଫଳରେ ପାଣିକୋଇଲି ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ୨୦ ନମ୍ବର ଜାତୀୟ ରାଜପଥରୁ ଗାଡି ଗୁଡିକ ଓଭରବ୍ରିଜ ତଳେ ପଶି ସର୍ଭିସ ରୋଡରେ ଯାଇ ୧୬ ନମ୍ବର ଜାତୀୟ ରାଜପଥକୁ ଉଠିଥାନ୍ତି । ଏହି ସର୍ଭିସ ରୋଡ ସିଙ୍ଗିଲ ରୋଡ ହୋଇଥିବା ଫଳରେ ଯାତାୟତରେ ବାଧା ଉପୁଜିଛି । ସଠିକ ଟ୍ରାଫିକ ବ୍ୟବସ୍ଥା ନଥିବାରୁ ବଜାର ଏପଟରୁ ସେପଟକୁ ଗାଡି ବା ବାଇକରେ ପାର ହେବା ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି । ଏଭଳି ବିର୍ପୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ବହୁ କାର୍ଯ୍ୟ ବିଳମ୍ବ ଘଟୁଛି । କେବଳ ସେତିକି ନୁହେଁ ଓଭରବ୍ରିଜର ଉଭୟ ପାର୍ଶ୍ବର ଗୋଲେଇରେ ବଡ ବଡ ଖାଲଖମା ହୋଇଛି । ଫଳରେ ଥରେ କୌଣସି ଟ୍ରକ ଖାଲରେ ପଡିଗଲେ ତାକୁ ଉଠିବାକୁ କିଛି ସମୟ ଲାଗୁଛି । କେବଳ ସେତିକି ନୁହେଁ ପ୍ରତ୍ୟେହ ଏହି ଖାଲ ଯୋଗୁ ୧୦ରୁ ଉର୍ଦ୍ଧ୍ବ ଟ୍ରକର ଟାୟାର ଫାଟୁଛି । ଏହି ଗୋଲେଇ ରାସ୍ତାକୁ ବାରମ୍ବାର ପୋତା ଯାଉଥିଲେ ହେଁ ଭାରିଯାନ ଯୋଗୁ ଦିନେ ଦୁଇ ଦିନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଉଛି । ଏହି ଦୁଇ ଗୋଲେଇ ରାସ୍ତା ସ୍ଥାୟୀ ରାସ୍ତାରେ ପରିଣତ କରାନଯିବାରୁ ବାରମ୍ବାର ଭାରିଯାନ ଯାତାୟତ ଯୋଗୁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଏମିତିକି ପଥାଚାରୀ ମାନେ ରାସ୍ତା ପାର ହେବାକୁ ଦୁର୍ଦ୍ଦଶା ଭୋଗୁଛନ୍ତି । ୨୦ ନମ୍ବର ଜାତୀୟ ରାଜପଥରୁ ଆସୁଥିବା ଗାଡି ଗୁଡିକ ପାଇଁ ବିକଳ୍ପ ବ୍ୟବସ୍ଥା ବା ମଙ୍ଗୁଳି ଭଳି ଓଭରବ୍ରିଜର ଆବଶ୍ୟକତା ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ରାଜପଥ ବିଭାଗ ପକ୍ଷରୁ ସର୍ଭେ କରାଯାଇ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ତୁରନ୍ତ ସ୍ଥାୟୀ ସମାଧାନ କ୍ଷେତ୍ରରେ ରାଜପଥ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେବାକୁ “ସହଯୋଗ” ପକ୍ଷରୁ ଦାବି ହୋଇଛି ।