ପାଣିକୋଇଲିବାସୀଙ୍କ ସ୍ୱପ୍ନକୁ ସାକାର କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ , ଟ୍ରମା କେୟାର ସେଣ୍ଟର ପାଇଁ ମଞ୍ଜୁର ହେଲା ୭୦ କୋଟି ।
ଯାଜପୁର,ତା-୧୩/୧୦(ପିପିଟି); ବହୁ ପ୍ରତୀକ୍ଷିତ ପାଣିକୋଇଲି ଟ୍ରମା କେୟାରେ ସେଣ୍ଟର ପ୍ରତିଷ୍ଠାର ସ୍ୱପ୍ନ ସାକାର ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଅର୍ଥ ମଂଜୁରୀ ମଳିଛି । ପାଣିକୋଇଲି ଠାରେ ଟ୍ରମା କେୟାର ସେଣ୍ଟର ( ଦୁର୍ଘଟଣା ସେବା ଚିକିତ୍ସାଳୟ ) କରାଯିବାକୁ ପ୍ରତିଶୃତି ଦେଇଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚେଷ୍ଠା ଓ ତକ୍ରାଳୀନ ପାଣିକୋଇଲି ପୂର୍ତ ବିଭାଗ ର୍ନିବାହୀ ଯନ୍ତ୍ରୀ ଓ ବର୍ତ୍ତମାନର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ସହଯୋଗରେ ଟ୍ରମା କେୟାର ସେଣ୍ଟର ହେବାର ଆଶା ଉଦଜୀବିତ ହୋଇଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏନେଇ ଅକ୍ଟୋବର ୯ ତାରିଖ ପତ୍ର ସଂଖ୍ୟା ୨୩୧୩୧ରେ ଅର୍ଥ ମଂଜୁରୀ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଯାଜପୁର ଜିଲ୍ଲାପାଳଙ୍କୁ ମଧ୍ୟ ପତ୍ର ଦିଆଯାଇଛି । ଶହେ ଶଯ୍ୟା ବିଶିଷ୍ଠ ଟ୍ରମା କେୟାର ସେଣ୍ଟର ପାଇଁ ୭୦ କୋଟି ଟଙ୍କା (୬୯ କୋଟି ୯୫ ଳକ୍ଷ, ୨ ହଜାର ୩୦୮) ବ୍ୟୟ ଅଟକଳ କରାଯାଇଛି । ଅର୍ଥ ମଂଜୁରୀ ସହ ଏହାର ନକ୍ସା ମଧ୍ୟ ପ୍ରକାଶ ପାଇଛି । ପାଣିକୋଇଲି ଠାରେ ଯେହେତୁ ଦୁଇଟି ରାଜପଥର ସଂଯୋଗ ଓ ସମଗ୍ର ଜିଲ୍ଲାର ମଧ୍ୟସ୍ଥଳ ଏହାରେ ଟ୍ରମା କେୟାର ସେଣ୍ଟର ଦାବି ଯଥାର୍ଥ ଥିଲା । ଏହି ଟ୍ରମା କେୟାର ହେଲେ ସମଗ୍ର ଯାଜପୁର ଜିଲ୍ଲାବାସୀ ଓ ରାଜପଥରେ ହେଉଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ । ଅର୍ଥ ମଂଜୁର ପରେ କ୍ରିୟାନୁଷ୍ଠାନ କମିଟି ଆବାହକ ଧରଣୀଧର ଘଡାଇ, ଉପ ଆବାହକ ସୁବାସ ଧଳ ପ୍ରମୁଖ ୧୦୦ ଦିନର ଧାରଣାର ଫଳ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।