ବେଲଗୁଣ୍ଠା,୧୨/୦୫(ପିପିଟି), ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ଗ୍ରାମ ପଂଚାୟତ ଅଧିନସ୍ଥ ଧାନପୁଞ୍ଜା ଗ୍ରାମକୁ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବ୍ଳକ୍ ପ୍ରଶାସନ ତରଫରୁ ମିନି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ସୂଚନା ପ୍ରକାରେ କିଛି ଦିନ ପୂର୍ବରୁ ଏହି ଗ୍ରାମର କିଛି ବ୍ୟକ୍ତି କରୋନାରେ ଆାକ୍ରାନ୍ତ ହୋଇ ପ୍ରାଣ ହରାଇବା ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଆଜି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପାଇଲିପଡ଼ା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ସହାୟତାରେ ଗ୍ରାମର ଘରକୁ ଘର ବୁଲି ହେଲଥ୍ ସ୍କ୍ରିନିଂ,ଅମ୍ଳଜାନ ସ୍ତର ଯାଞ୍ଚ କରାଯାଇ କରୋନା ସମ୍ପର୍କିତ ସଚେତନ ବାର୍ତ୍ତା ପ୍ରଦାନ କରାଯିବା ସହ ଗ୍ରାମରେ ଅଧିକ ସଂକ୍ରମଣକୁ ଏଡ଼ାଇବା ପାଇଁ ପ୍ରଶାସନ ତରଫରୁ ଗ୍ରାମରେ ୧୪୪ ଧାରା ଲାଗୁ କରାଯାଇ ଗ୍ରାମକୁ ମିନି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ଆଜିର ସଚେତନତା କାର୍ଯ୍ୟକ୍ରମରେ ସମାଜସେବୀ ରବୀନ୍ଦ୍ର ନାଥ ପାତ୍ର, କୃଷ୍ଣ ଚନ୍ଦ୍ର ସ୍ଵାଇଁ, ସମସ୍ତ ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ଗ୍ରାମ ବାସୀଙ୍କୁ ମାସ୍କ ପିନ୍ଧିବା ସହିତ ସମସ୍ତ କୋଭିଡ ମାର୍ଗଦର୍ଶିକା ପାଳନ କରିବା ପାଇଁ ସଚେତନ କରାଯାଇଥିଲା । ସେହିପରି କ୍ଷତ୍ରିୟବରପୁର ପଞ୍ଚାୟତ ଅଧିନସ୍ଥ ନୂଆଁପଡ଼ା ଗ୍ରାମରେ ମଧ୍ଯ କିଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସେଠାରେ ମଧ୍ଯ କରୋନା ସଚେତନତା କରାଯାଇ ସେହି ଗ୍ରାମକୁ ମଧ୍ଯ ପ୍ରଶାସନ ତରଫରୁ ମିନି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ଉଭୟ ମିନି କଣ୍ଟେନମେଣ୍ଟ୍ ଜୋନ୍ ରେ ବ୍ୟାରିକେଟ୍ କରାଯାଇ ବାହାର ଲୋକଙ୍କ ଚଳାଚଳ, ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯିବା ସହିତ ଉଭୟ ଅଞ୍ଚଳର ତଦାରଖ ଦାୟିତ୍ୱ ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସିଡିପିଓଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )