ବେଲଗୁଣ୍ଠା,୧୯/୧୨(ପିପିଟି):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଅଞ୍ଚଳରେ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଅଞ୍ଚଳର ଗୃହପାଳିତ ଜନ୍ତୁଙ୍କ ଜୀବନ ପ୍ରତି ବିପଦ ଡାକି ଆଣିଛି । ସୂଚନା ଥାଉକି ଗାଙ୍ଗପୁର ମୁଖ୍ୟ ରାସ୍ତାରେ ଥିବା ପ୍ରାଣୀ ଚିକିତ୍ସାଳୟ ଉପରେ ଆଖପାଖ ୨୦ ଖଣ୍ଡ ଗ୍ରାମର ଗୋପାଳକ,କୁକୁଡ଼ା ଚାଷୀ ଏବଂ ଅନ୍ୟ ଗୃହ ପାଳିତ ଜନ୍ତୁଙ୍କୁ ପାଳନ କରିଥିବା ଲୋକେ ନିଜ ଗୃହପାଳିତ ଜନ୍ତୁଙ୍କ ଚିକିତ୍ସା ପାଇଁ ନିର୍ଭର କରନ୍ତି । କିନ୍ତୁ ଦୀର୍ଘଦିନ ହେବ ଏଠାରେ ଜନୈକ ପ୍ରାଣୀ ଚିକିତ୍ସକଙ୍କ ଅବହେଳା ଯୋଗୁଁ ବହୁ ଗୃହପାଳିତ ପଶୁ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି । ଅଞ୍ଚଳ ବାସୀଙ୍କ ଅଭିଯୋଗ ପ୍ରକାରେ ଏଠାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ଜଣଙ୍କ ପ୍ରାୟତଃ ଚିକିତ୍ସାଳୟକୁ ଆସନ୍ତି ନାହିଁଁ । ଯଦି କେବେ ଆସନ୍ତି ତେବେ ଚିକିତ୍ସାଳୟରେ ଅତି ବେଶୀରେ ୧୫ ରୁ ୨୦ ମିନଟ୍ ସମୟ ରହି ନିଜର କାଗଜ ପତ୍ର କାମ କରି ଚାଲି ଯାଆନ୍ତି । ଚିକିତ୍ସାଳୟରେ କାର୍ଯ୍ୟରତ ପିଅନ୍ ଜଣଙ୍କ ମଧ୍ୟ ତଦ୍ରୁପ । ଉଭୟଙ୍କ ମନମାନି ଯୋଗୁଁ ଅଞ୍ଚଳର ପଶୁ ପାଳକ ମାନେ ଦୟନୀୟ ଅବସ୍ଥା ମଧ୍ୟରେ ଦିନ କାଟୁଛନ୍ତି । ବହୁ ପଶୁ ପାଳକ ନିଜ ପଶୁ ଜନ୍ତୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ପ୍ରାଣୀ ଡ଼ାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ କିଛି ଲୋକ ପ୍ରାଣୀ ଡ଼ାକ୍ତରଙ୍କୁ ଭେଟି ତାଙ୍କର ଦୁର୍ବ୍ୟବହାରର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ଆସିଛି । ତେଣୁ ଲୋକେ ନିଜ ପଶୁଙ୍କ ଚିକିତ୍ସା କରାଇବା ପାଇଁ ପିଅନ୍ ଜଣଙ୍କ ଉପରେ ନିର୍ଭର କରନ୍ତି । ଅଞ୍ଚଳର ଗାଈ ଗୋରୁଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡିଲେ ପିଅନ୍ ଜଣଙ୍କ ଡାକ୍ତରଙ୍କ ସହ ଯୋଗାଯୋଗ କରାଇଦେବା ବଦଳରେ ରୋଗୀଣା ଜନ୍ତୁଙ୍କୁ ବେଲଗୁଣ୍ଠା କିମ୍ବା ଗୋବରା ନେଇଯିବା କୁହନ୍ତି । ଯାହା ଗରୀବ ପଶୁପାଳକ ମାନଙ୍କ ପାଇଁ ଅସମ୍ଭବ ହୋଇଥାଏ । ଅନ୍ୟ ପଟରେ କର୍ମଚାରୀ ମାନେ ଚିକିତ୍ସାଳୟରର ଦେଖାଶୁଣା ନକରିବା ଯୋଗୁଁ ଚିକିତ୍ସାଳୟଟିର ଅବସ୍ଥା ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି । ଏହାର ପରିସର ଆବର୍ଜନା କୁଣ୍ଡ ପାଲଟିଥିବା ବେଳେ କୋଠରୀ ଗୁଡିକର ଛାତରୁ ପଲସ୍ତରା ଏବଂ କାନ୍ଥରୁ ଇଟା ଭୁଶୁଡିବାରେ ଲାଗିଲାଣି । ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେଣୁ ଯଥାଶୀଘ୍ର ପଶୁ ପାଳକ ମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ଉପଯୁକ୍ତ ପ୍ରାଣୀ ଚିକିତ୍ସା ଯୋଗାଇ ଦିଆନଗଲେ ରାଜ ରାସ୍ତାକୁ ଓହ୍ଳାଇବା ପାଇଁ ବହୁ ପଶୁ ପାଳକ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା)