ପର୍ଯ୍ୟଟକଙ୍କ ପାଇଁ ଟୁରିଷ୍ଟ ବସ ସେବା ଆରମ୍ଭ;ବହୁ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବାଚସ୍ପତି ।

0 539

ଭଞ୍ଜନଗର,୧୦/୦୭(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ଦୃଷ୍ଟିରୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବା ସକାଶେ ଶନିବାର ୨ଟି ଟୁରିଷ୍ଟ ବସ ସେବା ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ପରେ ଢୋଲପିଟା ଠାରେ ଗାଲେରୀ ବନାଞ୍ଚଳ ଅଧିକାରୀ ଓ ତାରସିଂ ବନାଞ୍ଚଳ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟକୁ ବାଚସ୍ପତି ଶ୍ରୀ ଆରୁଖ ଉଦଘାଟନ କରିଥିଲେ। ସେହିପରି ଭଞ୍ଜନଗର ବ୍ଲକ ହରିଗଡ଼ ପଞ୍ଚାୟତର ବଦାଙ୍ଗୀ ଗ୍ରାମରେ ୪୦ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହେବାକୁ ଥିବା ଏକ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିବା ସହ ବଦାଙ୍ଗୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ, ଦୁଇଟି ଅଙ୍ଗନବାଡି କେନ୍ଦ୍ର ଓ ମିଶନଶକ୍ତିର ନୂତନ ଗୃହକୁ ମଧ୍ୟ ବାଚସ୍ପତି ଶ୍ରୀ ଆରୁଖ ଉଦଘାଟନ କରିଥିଲେ।ଏହାପରେ ବଦାଙ୍ଗୀ ବଡ଼ ଦାଣ୍ଡରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାଲେରୀ ଠାରୁ କନ୍ଧମାଳ ସୀମାନ୍ତ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ, ଏସିଏଫ ବିକ୍ରମ ଦେବ ପଟ୍ଟନାୟକଙ୍କ ସମେତ ବରିଷ୍ଠ ସଙ୍ଗଠକ ରାଜ କୁମାର ସାହୁ, ବିଡ଼ିଓ ଅନୁପ କୁମାର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲତା ସେଠୀ,ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ଗୌଡ଼,ସମିତି ସଭ୍ୟା ସୁଦେଷ୍ଣା ଦଳବେହେରା, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଗୌଡ଼ ଏବଂ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତ ଥିଲେ।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.