ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ଡାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ବେ ମହାରଥୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଶେଷ ଦର୍ଶନ ଲାଗି ବହୁ ସମର୍ଥକ ହସ୍ପିଟାଲ ନିକଟକୁ ଆସିଥିଲେ।ପୁରୀ ଜିଲ୍ଲାର ପିପିଲି ଅଞ୍ଚଳର ଅପ୍ରତିଦ୍ବନ୍ଦ୍ବୀ ନେତା ପ୍ରଦୀପ ମହାରଥୀଙ୍କ ରାଜନୈତିକ କ୍ୟାରିୟର ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା। ସେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର ସଂସଦକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଜନତା ଦଳରେ ଯୋଗ ଦେଇ ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ମୋଟ ୭ ଥର ବିଧାୟକ ଭାବେ ଓଡ଼ିଶା ବିଧାନସଭାରେ ପିପିଲିକୁ ପ୍ରତିନିଧିତ୍ବ କରିଥିଲେ। ୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ। ପିପିଲିକୁ ନିଜର କର୍ମକ୍ଷେତ୍ର ଭାବିଥିବାରୁ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହିଁ ସେ ସବୁଥର ନିର୍ବାଚନରେ ଲଢ଼ିଥିଲେ।ଏଥି ସହିତ ସ୍ୱର୍ଗତ ପ୍ରଦୀପ ମହାରଥୀ ୨୦୧୧ ମସିହା ମେ’ ମାସ ୧୦ ତାରିଖରେ କୃଷି ମନ୍ତ୍ରୀ, ୨୦୧୪ ମେ’ ମାସ ୨୧ରେ କୃଷି, ମତ୍ସପାଳନ ଓ ପଶୁସଂପଦ ମନ୍ତ୍ରୀ, ୨୦୧୭ ମସିହା ମେ’ ମାସ ୭ ତାରିଖରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ୨୦୧୭ ମସିହା ଡିସେମ୍ବର ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁ ସଂପଦ ମନ୍ତ୍ରୀ ଥିଲେ।ସ୍ୱର୍ଗତ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ସ୍ୱର୍ଗତ ଗୋକୁଳା ନନ୍ଦ ମହାରଥୀ। ତାଙ୍କର ଧର୍ମପତ୍ନୀ ହେଉଛନ୍ତି ପ୍ରତିଭା ମହାରଥୀ। ପୁଅ ରୁଦ୍ର ପ୍ରତାପ ମହାରଥୀ ବି. ଟେକ୍ ଓ ଏମ୍ବିଏ ପାଠ୍ୟକ୍ରମ ଶେଷ କରିଥିବା ବେଳେ ଝିଅ ପଲ୍ଲବୀ ହେଉଛନ୍ତି ଜଣେ ଡାକ୍ତର। ପରଲୋକଗତ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ବୋଲି ଜଣାଯାଇଛି । ଅପରାହ୍ନରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟାରେ ପ୍ରଦୀପ ମହାରଥୀଙ୍କ ମରଶରୀରକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯିବା ପରେ ତା‘ପରେ ତାଙ୍କର ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରୁ ଫେରିବା ପରେ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଶେଷଦର୍ଶନ ପାଇଁ ସ୍ବର୍ଗତଃ ମହାରଥୀଙ୍କୁ ପିପିଲିସ୍ଥିତ ତାଙ୍କର ଫାର୍ମହାଉସକୁ ନିଆଯିବ। ଏହାପରେ ପୁରୀ ଅଭିମୁଖେ ନିଆଯାଇ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନରେ ଏବେ ରାଜ୍ୟର ବିଭିନ୍ନ ଦଳର ରାଜନୈତିକ ନେତାମାନଙ୍କର ଭିଡ଼ ଲାଗିଛି। ରାଜ୍ୟର ରାଜନୈତିକ ମହଲରେ ମହାରଥୀଙ୍କ ବିୟୋଗ ଶୋକର ଛାୟା ଖେଳାଇ ଦେଇଛି। ଦଳମତ ନିର୍ବିଶେଷରେ ବହୁ ନେତା ତାଙ୍କର ଶେଷଦର୍ଶନ କରୁଛନ୍ତି।