ନୀଳାଚଳ ଇସ୍ପାତ ନିଗମର ପୁନଃରୁଦ୍ଧାର ପାଇଁ ପୂର୍ବତନ ମନ୍ତ୍ରୀ ଡଃ. ଘଡାଇଙ୍କ ଦାବି ।

0 602

ଭୁବନେଶ୍ୱର,ତା.୧୩/୦୬(ପିପିଟି); ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳ ଠାରେ ପ୍ରତିଷ୍ଠିତ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ ବନ୍ଦ ହୋଇ ପଡିଛି । ଅଦ୍ୟାବଧି ୧୪ ମାସ ହେବ ଏହାର କର୍ମଚାରୀ ଏବଂ ଶ୍ରମିକ ମାନେ ଦରମା ନପାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏହି କାରଖାନାର ପୁନଃରୁଦ୍ଧାର ପାଇଁ ୨୦୨୦ ମସହିହା ଅଗଷ୍ଟ ମାସ ୧୩ ତାରିଖ ଦିନ ଆହୁତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଇସ୍ପାତ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ, କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ରେଳବାଇ ବିଭାଗ ମନ୍ତ୍ରୀ, ବେସାମରିକ ବିମାନ ଚଳାଚଳ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଓଡିଶାର ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗଦେଇଥିବା ବେଳେ ଏହି ବୈଠକରେ ଏମଏମଟିସିକୁ ନୀଳାଚଳ ଇସ୍ପାତ ନିଗମରେ ଗଛିତ ଥିବା ପ୍ରାୟ ୨୩୦ କୋଟି ଟଙ୍କାର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିକରି କର୍ମଚାରୀ ଓ ଶ୍ରମିକ ମାନଙ୍କର ବକେୟା ଏବଂ ଦରମା ଦେବା ସହିତ ଆଗାମୀ ୩ରୁ ୪ ମାସ ମଧ୍ୟରେ ପୁଂଜି ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ଡିପାର୍ଟମେଂଟ ଅଫ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେସ ମ୍ୟାନେଜମେଣ୍ଟ ସଚିବଙ୍କୁ ନିଦ୍ଦେର୍ଶ ଦିଆଯାଇ ଥିଲା । ମାତ୍ର ଅଦ୍ୟାବଧି ଏହାର କୌଣସି ଅଗ୍ରଗତି ହୋଇ ନାହିଁ । ଏ ପରିପ୍ରେକ୍ଷିରେ ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗନଗର ମଜଦୁର ୟୁନିୟନର ମୁଖ୍ୟଉପଦେଷ୍ଟା ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ କଳିଙ୍ଗ ନଗରରେ ଅନ୍ୟାନ୍ୟ ଘରୋଇ ଶିଳ୍ପ ସଂସ୍ଥାମାନେ ନିଜର ଇସ୍ପାତ କାରଖାନାକୁ ଚଳାଇ ରଖିବା ସହିତ ସଂପ୍ରସାରଣ କରିବା ପାଇଁ ଯୋଜନା କରୁଥିବା ବେଳେ, କେନ୍ଦ୍ର ସରକାର ଯେତେବେଳେ ଦେଶରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି , ସେହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ଏକ ସରକାରୀ ଉଦ୍ୟୋଗ ବନ୍ଦ ରହିବା ଉଚିତ ନୁହେଁ । ବର୍ତ୍ତମାନ ନୀଳାଚଳ ଇସ୍ପାତ ନିଗମ ୧.୧ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିବାର କ୍ଷମତା ରଖିଥିବା ବେଳେ ଏହାକୁ ୧୦ ମିଲିୟନ ଟନ ବିଶିଷ୍ଟ କାରଖାନାରେ ପରିଣତ କରିବା ପାଇଁ ଏଠାରେ ଆବଶ୍ୟକ ଭିତିଭୂମି, ଜମି ଏବଂ ନିଜସ୍ୱ ଖଣି ରହିଛି । କେନ୍ଦ୍ର ସରକାର ନୀଳାଚଳ ଇସ୍ପାତ ନିଗମରୁ ପୁଂଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେବା ପରେ ଏହାର ଆର୍ଥିକ କ୍ଷତିର ପରିମାଣ ବଢି ଯାଇଛି ଏବଂ ବର୍ତ୍ତମାନ ଏହା ବିକ୍ରିହେଲେ ଏହାର ମୁଲ୍ୟ ହ୍ରାସ ଘଟିବ ।ଅପରପକ୍ଷରେ କଳିଙ୍ଗନଗର ମଜଦୁର ୟୁନିୟନ କାରଖାନାକୁ ଚାଲୁ କରିବା ସହିତ ବକେୟା ଦରମା ଦେବାପାଇଁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ସହିତ ସୁକିନ୍ଦା ବିଧାୟକ କର୍ତୃପକ୍ଷଙ୍କ ସହିତ ଆଲୋଚନା ଚାଲୁ ରଖିଥିଲେ ମଧ୍ୟ କେନ୍ଦ୍ରସରକାରଙ୍କ ବାଣିଜ୍ୟ ଏବଂ ଇସ୍ପାତ ବିଭାଗର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ନୀଳାଚଳ ଇସ୍ପାତ ନିଗମରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଏମ.ଏମ.ଟି.ସି ପ୍ରମୁଖ ନିବେଶକ ଏବଂ ଏହା ସାମଗ୍ରୀ କ୍ରୟ ଓ ବିକ୍ରୟରୁ ୩ ପ୍ରତିଶତ ଲାଭାଂଶ ଉଠାଇ ନିଜ ଅଂଶଧନକୁ ପାଇବାରେ ସକ୍ଷମ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଓ.ଏମ.ସି ଏବଂ ଅନ୍ୟାନ୍ୟ ନିବେଶକ ମାନଙ୍କୁ କ୍ଷତି ପହଞ୍ଚାଇଛି । କେନ୍ଦ୍ର ସରକାର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କୁ ସବୁବେଳେ ପ୍ରୋତ୍ସାହନ ଦେଉଥିବା ବେଳେ ଏକ ସରକାରୀ ଉଦ୍ୟୋଗ ପ୍ରତି ଉଦାସୀନ ରହିବା ଦୁର୍ଭାଗ୍ୟ ଜନକ । କର୍ମଚାରୀ ଏବଂ ଶ୍ରମିକ ମାନେ ନିଜର ନିଯୁକ୍ତି ବଞ୍ଚାଇବା ପାଇଁ ଆଉ କେତେଦିନ ଭୋକ ଉପାସରେ ଅପେକ୍ଷା କରିବେ । ସେମାନଙ୍କର ଧୈର୍ଯ୍ୟ ରକ୍ଷା କରିବାର ସମସ୍ତ ସିମା ସରହଦ ଟପିଗଲାଣି ।ତେଣୁ ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ କେନ୍ଦ୍ରସରକାର ଆଉ କାଳବିଳମ୍ବ ନକରି ଖୁବଶିଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ନୀଳାଚଳ ଇସ୍ପାତ ନିଗମ କାର୍ଯ୍ୟକ୍ଷମ ହେବା ଉପରେ ଏକ ସକରାତ୍ମକ ନିଷ୍ପତ୍ତି ନେବା ଉଚିତ । ଏଥିସହିତ ସେଲ, ଆର.ଆଇ.ଏନ.ଏଲ କିମ୍ବା ଏନ.ଏମ.ଡି.ସି ଭଳି କୌଣସି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗକୁ ଏହାର ପରିଚାଳନା ଦାୟିତ୍ୱ ଦିଅନ୍ତୁ କିମ୍ବା କେନ୍ଦ୍ର ଏବଂ ରାଜ୍ୟ ସରକାର ପୂର୍ବଭଳି ଏହାକୁ ଚାଲୁକରି ହଜାର ହଜାର କର୍ମଚାରୀ ଏବଂ ଶ୍ରମିକଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଡଃ. ଘଡାଇ ପ୍ରେସ ବିବୃତି ମାଧ୍ୟମରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.