ନିୟମିତ ଚାକିରୀ ନଥାଇ, ନିୟମରେ ଅବସର ଗ୍ରହଣ ।

0 279

ମାଲକାନଗିରି,୦୬/୦୨(ପିପିଟି): ମାଲକାନଗିରି ଜିଲ୍ଲାରେ ୨୦୦୨ ମସିହାଠାରୁ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପରିଚାଳିତ ହେଉଛି । ଏହା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଏସଇପିଏ କର୍ତ୍ତୃପକ୍ଷଙ୍କ ତତ୍ତ୍ବବଧାନରେ କାର୍ଯ୍ୟକ୍ଷମ ହୋଇ ଆସୁଅଛି । ମାଲକାନଗିରି ଜିଲ୍ଲାର ଏହି କାର୍ଯ୍ୟାଳୟରେ ମୋଟ ୨୬ ଜଣ କର୍ମଚାରୀ ବିଭିନ୍ନ ପଦ ପଦବୀରେ କାର୍ଯ୍ୟକରି ଆସୁଛନ୍ତି । ନିଯୁକ୍ତି ସମୟରେ ଏହି କର୍ମଚାରୀମାନେ ଚୁକ୍ତିଭିତ୍ତିକ କର୍ମଚାରୀ ରୂପେ ନିଯୁକ୍ତି ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ପରେ ବି ସେମାନଙ୍କର ଚାକିରି ନିୟମିତ ହୋଇପାରିନାହିଁ ।ଗତ ୩୧ ଜାନୁଆରୀ ଦିନ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ କିଶୋର ଖୋସଲା, ପିଅନଙ୍କ ଅବସର କାଳିନ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀ ଖୋସଲା,୧୯୯୦ ମସିହାରେ ଅଣ ଅନୁଷ୍ଠାନିକ ଶିକ୍ଷା କାର୍ଯ୍ୟକ୍ରମରେ ଜଣେ ଦୈନିକ ଦରମା ପ୍ରାପ୍ତ ଚତୁର୍ଥଶ୍ରେଣୀ କର୍ମଚାରୀ ରୂପେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ନିୟୋଜିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କାର୍ଯ୍ୟକରି ଆଜି ସେ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି ।କିନ୍ତୁ ବିଡମ୍ବନାର ବିଷୟ ଏହି କି ଯେ, ଏହି ଦୀର୍ଘ ର୍ବର୍ଷ କାର୍ଯ୍ୟକାଳ ମଧ୍ୟରେ ନା ଶ୍ରୀ ଖୋସଲାଙ୍କ ଚାକିରିକୁ ନିୟମିତ କରାଗଲା ନା ସେ ନିୟମିତ କର୍ମଚାରୀର ମାନ୍ୟତା ପାଇଲେI ଆହୁରି ବି ଅତ୍ୟନ୍ତ ଦୁଃଖର କଥା ଏହି କି ଯେ ସରକାରଙ୍କ ଆଦେଶ କ୍ରମେ ୨୦୧୪ ମସିହା ଠାରୁ ସେ ଷଷ୍ଠ ବେତନ ଅନୁଯାୟୀ ଦରମା ପାଇ ଆସୁଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ ୨୦୧୯ ମାର୍ଚ୍ଚ ମାସ ଠାରୁ ସମଗ୍ର ଶିକ୍ଷାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଦରମାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କିଛି ଅଧିକାରୀ ଉଦ୍ଦେଶ୍ୟ ମୂଳକ ଭାବରେ ବନ୍ଦକରିଦେବା ଦ୍ୱାରା ସେ ଏଥରୁ ବି ବଞ୍ଚିତ ହୋଇଛନ୍ତି । ବିଭିନ୍ନ ବର୍ଗର ଶିକ୍ଷକ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଭଳି ବିଭିନ୍ନ ବିଭାଗର ଅସ୍ଥାୟୀ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ଦରମା, ଭତ୍ତା, ପ୍ରୋତ୍ସାହନ ରାଶି ସରକାର ବୃଦ୍ଧି କରିଥିବା ବେଳେ ଆଜି ଓପିଇପିଏ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପ୍ରତି ଅବହେଳା ଓ ଅଣଦେଖା କରିଛନ୍ତି । ଛଅ ବର୍ଷ ଚୁକ୍ତିଭିତ୍ତିକ କାମ କରି ସାରିବା ପରେ ବହୁତ ଚୁକ୍ତିଭିତ୍ତିକ କର୍ମଚାରୀ ବିଭିନ୍ନ ବିଭାଗରେ ନିୟମିତ ହୋଇ ପାରୁଥିବା ସତ୍ତ୍ୱେ ସମଗ୍ର ଶିକ୍ଷା କାର୍ଯ୍ୟଳୟରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘ ୨୦ ବର୍ଷର ଚୁକ୍ତିଭିତ୍ତିକ ସେବା ପରେ ମଧ୍ୟ ନିୟମିତ ପାଇଁ ସରକାର କୌଣସି ଚେଷ୍ଟା କରିନାହାନ୍ତି । ଏହି କର୍ମଚାରୀମାନଙ୍କ ଦୁଃଖ, ଅଭାବ, କ୍ଷୋଭ ଓ ଅସୁବିଧା ଆମ ସରକାର କିମ୍ୱା ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଚିକୁ ଆସିଲା ନାହିଁ । ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ଏମାନଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଉଦାସିନତା ମନୋଭାବ ଅବଲମ୍ୱନ କରିଛନ୍ତି ।
ଅଳ୍ପ ଦରମା ଓ ଭତ୍ତା ନେଇ ଏତେଦିନ ସରକାରୀ ସେବା କରି ଅବସର ପରେ ଶ୍ରୀ ଖୋସଲାଙ୍କ ପରିବାର ବିନା ଦରମା ଓ ଭତ୍ତାରେ କିପରି ପ୍ରତିପୋଷଣ ହେବେ ତା ଚିନ୍ତା ଜନକ ବିଷୟ ।ସର୍ବଶେଷରେ ସମସ୍ତ କର୍ମଚାରୀ ଏହି ସଭାରେ ଉପସ୍ଥିତ ରହି ଶ୍ରୀ ଖୋସଲାଙ୍କ ନିରାମୟ ଓ ଶାନ୍ତିପୂର୍ଣ୍ଣ ଅବସରକାଳୀନ ଦୀର୍ଘଜୀବନ କାମନା କରିଥିଲେ ଓ ସମସ୍ତ କର୍ମଚାରୀ ମିଳିତ ଭାବ ୫୧ ହଜାର ଟଙ୍କାର ଏକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି ।)

Leave A Reply

Your email address will not be published.