ମାଲକାନଗିରି,୨୫/୦୮(ପିପିଟି): ମାଲକାନଗିରି ଜିଲ୍ଲାର ଜଣେ ମହିଳାଙ୍କ କିଡନିକୁ ତାଙ୍କ ସ୍ବାମୀ ଚକ୍ରାନ୍ତ କରି ବିକ୍ରି କରିଦେଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ହେଲେ ମାଲକାନଗିରି ସଦର ବ୍ଲକ କତାମେଟା ଗ୍ରାମର ରଞ୍ଜିତା କୁଣ୍ଡୁ । ସେ ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ ବିବାହ ପରେ ସ୍ବାମୀ ପ୍ରଶାନ୍ତ କୁଣ୍ଡୁ ଓ ନଣନ୍ଦ ଯୌତୁକ ନିର୍ଯାତନା ଦେଇଥିଲେ । ୨୦୧୮ରେ ତାଙ୍କ କିଡ୍ନିରେ ଷ୍ଟୋନ୍ ହେବାରୁ ଚିକିତ୍ସା ପାଇଁ ସ୍ବାମୀ ଏବଂ ନଣନ୍ଦ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ରକ୍ତ ପରୀକ୍ଷା କରାଯିବ ବୋଲି ମିଛ କହି କିଡ୍ନିକୁ ବିକ୍ରି କରିଦେଇଥିଲେ । ସ୍ଵାମୀ ଏବଂ ନଣନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ନ୍ୟାୟ ଦେବାକୁ ନିବେଦନ କରି ରଞ୍ଜିତା ବୁଧବାର ଦିନ ପରିବାରବର୍ଗ ,ଗ୍ରାମବାସୀ ଏବଂ ସାମାଜିକ କର୍ମୀ ଶରତ ବୁରୁଦାଙ୍କ ସହ ଥାନାର ଦ୍ବାରସ୍ଥ ହୋଇଥିଲେ । ସାମାଜିକ କର୍ମୀ ଶରତ ବୁରୁଦା କହିଛନ୍ତି ଯେ, ରଞ୍ଜିତା ୧୨ ବର୍ଷ ତଳେ ଏମ୍ – ୩୮ ଗ୍ରାମର ପ୍ରଶାନ୍ତଙ୍କୁ ପ୍ରଥମେ ପ୍ରେମ କରି ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଏବଂ ପୁଅ ରହିଛନ୍ତି । ବିବାହ ପରଠାରୁ ସ୍ବାମୀ ପ୍ରଶାନ୍ତଏବଂ ତାଙ୍କ ଭଉଣୀ ( ନଣନ୍ଦ ) ମିଶି ବାପା ଘରୁ ଟଙ୍କା ଆଣିବାକୁ କହି ମାଡ଼ ମାରୁଥିଲେ । ୨୦୧୮ରେ ଭୁବନେଶ୍ୱରରେ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ଅଇଚ୍ଛା ସତ୍ବେ ଏମ୍ଭି -୩୮ ଗ୍ରାମ ଅସିମ୍ ହଲ୍ଦାର ନାମକ ବ୍ୟକ୍ତିଙ୍କୁ ରଞ୍ଜିତାଙ୍କ ଏକ କିଡ୍ନି ବିକି ଦେଇଥିଲେ । ସେ ବାବଦ ଟଙ୍କା ସ୍ଵାମୀ ଏବଂ ନଣନ୍ଦ ନେଇ ଖର୍ଚ୍ଚ କରିଥିଲେ । ଗୋଟିଏ କିଡ୍ନି ଥିବାରୁ ଏବେ ରଞ୍ଜିତାଙ୍କ ଶରୀର ସର୍ବଦା ଅସୁସ୍ଥ ରହୁଛି । ଏଭଳି ପରିସ୍ଥିତିରେ ପ୍ରଶାନ୍ତ ଅନ୍ଯତ୍ର ବିବାହ କରିଛନ୍ତି । ଦୁଇ ପୁଅ ଝିଅଙ୍କୁ କେମିତି ପୋଷିବେ ସେଥି ପାଇଁ ରଞ୍ଜିତା ବର୍ତ୍ତମାନ ମାନସିକ ଦୁଶ୍ଚିନ୍ତାରେ କାଳକାଟୁଥିବା ଜାଣାଡିଛି । ଏ ନେଇ ମାଲକାନଗିରି ଥାନାରେ ଏତଲା ଦିଆ ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post