ବେଲଗୁଣ୍ଠା,୧୩/୦୭(ପିପିଟି): ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ବାବୁଲା ଗୌଡ଼ଙ୍କ ଙ୍କ ନାବାଳିକା ଝିଅ ସ୍ୱର୍ଣ୍ଣ ଲତା ଗୌଡ (୧୭) କୌଣସି କାରଣରୁ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଆଜି ବାବୁଲା ଏବଂ ତାର ସ୍ତ୍ରୀ ପ୍ରତିଦିନ ଭଳି ଜମିକୁ ଚାଷ କରିବାକୁ ଯାଇଥିଲେ । ସେମାନେ ଦିନ ଗୋଟାଏ ବେଳେ ଘରକୁ ଆସିବା ପରେ ଝିଅ ତାଙ୍କୁ ଖାଇବାକୁ ଦେଇଥିଲା । ସେମାନେ ଖାଇ ସାରିବା ପରେ ପୁଣି ଜମିକୁ ଚାଷ କାମ କରିବାକୁ ଚାଲିଯାଇଥିଲେ । ଚାରିଟା ବେଳେ ଘରର ଉଭୟ ପଟୁ କବାଟ ବନ୍ଦ କରି ଝିଅ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲା । ଏହା ଝିଅର ପଡ଼ିଶା ଘର ଖୁଡି ଜାଣିବା ପରେ ବାବୁଲା ଏବଂ ତାର ସ୍ତ୍ରୀକୁ ଖବର ଦେବାରୁ ସେମାନେ ଆସି ଝିଅକୁ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲ୍ କୁ ଆଣିଥିଲେ । ସେଠାରେ ଡ଼ାକ୍ତର ନାବାଳିକା ଝିଅକୁ ମୃତ ଘୋଷଣା କରିଥିଲେ । ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁଁ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )