ନାଉଗାଁ ତହସିଲରେ ରେକର୍ଡ ଜାଲିଆତି ;୯୦ବର୍ଷର ବୃଦ୍ଧଙ୍କର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ।

0 242

ଜଗତସିଂହପୁର,୧୨/୧୧(ପିପିଟି); ନାଉଗାଁ ତହସିଲ ଅନ୍ତର୍ଗତ ବଛାଳୋ ପଂଚାୟତ ବଛାଳୋ ଗ୍ରାମର ବ୍ରହ୍ମାନନ୍ଦ ଲେଙ୍କାଙ୍କ ଜମି କ୍ରୟ ରେକର୍ଡ ଜାଲିଆତି ହୋଇଥିବା ବେଳେ ଉକ୍ତ ଜମିର ସାର୍ଟିଫାଏଡ ନକଲ କପି ପାଇଁ ଆବେଦନ କଲେ ମଧ୍ୟ ତାଙ୍କୁ ନ ମିଳିବାରୁ ଗୁରୁବାର ସେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ତହସିଲରେ ହେଉଥିବା ବିଭିନ୍ନ ଜାଲିଆତି ଓ ବ୍ରହ୍ମାନନ୍ଦଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସମର୍ଥନ କରି ବ୍ଳକର ବିଭିନ୍ନ ଅଂଚଳରୁ ବୁଦ୍ଧିଜୀବମାନେ ଏହି ଅନଶନରେ ସାମିଲ ହୋଇଥିଲେ । ବ୍ରହ୍ମାନନ୍ଦଙ୍କ ଅଭିଯୋଗ ମୁତାବକ ସେ ଉକ୍ତ ଗ୍ରାମ ପଂଚାୟତର ଅରସ ମୈାଜା ଖାତା ନଂ ୧୧୧ର ପ୍ଳଟ ନଂ ୧୩୭ରେ ଥିବା ୪ଡିସିମିଲ ଓ ୩୩୩ରେ ଥିବା ୧୮ ଡିସିମିଲର ଜମିକୁ ୧୫ ଜୁଲାଇ ୨୦୧୯ରେ କ୍ରୟ କରିଥିଲେ । ଯେଉଁ ଜମିର ମାଲିକାନା ଥିଲେ ମାଳବିକା ରାଉତରାୟ ଓ ନିରଂଜନ ଲେଙ୍କା । ଜମି କ୍ରୟ କରିବା ପରେ ଦାଖଲ ଖାରଜ ପାଇଁ ତହସିଲରେ ଆବେଦନ କରିଥିଲେ । କିନ୍ତୁ ଦାଖଲ ଖାରଜ ସମୟରେ ନିରଞନ ଓ ମାଳବିକାଙ୍କ ନାମରେ ୩୩୩ ପ୍ଲଟ ନଥିବା ତହସିଲ ପକ୍ଷରୁ ଜଣାଇ ଦିଆଯାଇଥିଲା । ପ୍ଳଟ ନଂ ୩୩୩ରେ ଥିବା ୧୮ ଡିସିମିଲ ଜମି ଖାତା ନମ୍ବର ୧୪୫/୨୦ରେ ରେଣୁବାଳା ନାୟକଙ୍କ ନାମରେ ରହିଥିବା ତହସିଲ ପକ୍ଷରୁ ବ୍ରହ୍ମାନନ୍ଦଙ୍କୁ ସୂଚନା ଦିଆଯାଇଥିଲା । ପରେ ବ୍ରହ୍ମାନନ୍ଦ ଅନଲାଇନରୁ ଉକ୍ତ ପଟ୍ଟାକୁ ବାହାର କରିଥିଲେ । ଯେଉଁ ପଟ୍ଟାରେ ମାଲିକାନା ଥିଲେ ରେଣୁବାଳା ନାୟକ । ଉକ୍ତ ବିଷୟକୁ ନେଇ ବ୍ରହ୍ମାନନ୍ଦ ଲିଖିତ ଭାବେ ତହସିଲଦାର ନାଉଗାଁ, ଜିଲ୍ଲାପାଳ ଜଗତସିଂହପୁର, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଓଡିଶା, ଦୁର୍ନିତି ନିବାରଣ ଅଧିକାରୀ ଜଗତସିଂହପୁର ଓ ମୁଖ୍ୟମନ୍ତ୍ରୀ ଓଡିଆଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଓଡିଶାଙ୍କ କାର୍ଯ୍ୟାଳୟରୁ ଚିଠି ନଂ ୮୩୩୭ ତା ୧୮ ଫେବୃଆରୀ ୨୦୨୦ରେ ଉଭୟ ପକ୍ଷଙ୍କୁ ଡାକି ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଦୀର୍ଘ ୧୦ମାସ ବିତି ଯାଇଥିଲେ ମଧ୍ୟ ବ୍ରହ୍ମାନନ୍ଦଙ୍କ ସମସ୍ୟାର କୌଣସି ସମାଧାନ କରାଯାଇ ନଥିଲା । ଯାହାଫଳରେ ବ୍ରହ୍ମାନନ୍ଦ ଆମରଣ ଅନଶନରେ ବସି ରହିଥିଲେ । ଘଟଣାସ୍ଥଳରେ ତହସିଲଦାର ଜେ.କଳ୍ପନା, ଥାନାଧିକାରୀ ଭରତ କୁମାର ବେହେରା ପହଂଚି ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ତହସିଲ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.