ରାୟଗଡା,୧୮/୦୭(ପିପିଟି); ପଦ୍ମପୁରବ୍ଲକ ବଡନାଳ ଜଳପ୍ରକଳ୍ପ ହେଉଛି ଏହି ଅଞ୍ଚଳର ଲାଇଫ ଲାଇନ। ମାତ୍ର ଜଳଭଣ୍ଡାରରେ ଏବେ ପାଣିର ଅଭାବ।ଏହି ପ୍ରକଳ୍ପ ୧୯୯୬ ମସିହାରେ ହେବାରୁ ଗୁଣପୁର, ଗୁଡାରି,ରାମନାଗୁଡା ଏବଂ ପଦ୍ମପୁର ବ୍ଲକର ପାଖା ପାଖି ୯ହଜାର ହେକ୍ଟର ଚାଷଜମିକୁ ଖରିଫ ଋତୁରେ ଜଳସେଚିତ କରୁଥିବା ବେଳେ ରବିଋତୁରେ କେବଳ ପଦ୍ମପୁର ବ୍ଲକର ୪ହଜାର ହେକ୍ଟରକୁ ଜଳସେଚିତ କରୁଛି। ଜଳଭଣ୍ଡାରରୁ ବର୍ଷ ତମାମ ଲିକେଜ ହୋଇ ନଦୀରେ ମିଶୁଛି।ବୈଷୟିକ ଟିମ ବାରମ୍ବାର ଆସି ତଦନ୍ତରେ କୌଣସି ସୁଫଳ ମିଳୁନାହିଁ।ଚଳିତ ବର୍ଷ ଆରମ୍ଭରୁ ପାଣି ଅଭାବ ହେତୁ ଚାଷୀ ମୁଣ୍ଡରେ ହାତଦେଲେଣି। କୁଟ୍ରାଗଡ ନଦୀକୁ ସଂଯୋଗ କରାଯିବ ବୋଲି ଖାଲି ଅଫିସର, ନେତା ଓ ମନ୍ତ୍ରୀ ଆସିବା ସମୟରେ ଭାଷଣବାଜି ହେଉଛି।ଯଦି ଏହା କାର୍ଯ୍ୟକାରୀ ହୁଏ, ଗୁଣପୁର, ପଦ୍ମପୁର,ରାମନାଗୁଡା,ଗୁଡାରି ଅଞ୍ଚଳର ଅନେକ ଚାଷୀ ଉପକୃତ ହେବେ। ଏଣୁ ଜଳ ସଂପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଜଳ ଭଣ୍ଡାରରେ କିପରି ପାଣି ସଂରକ୍ଷିତ ରହିବ ତାହା ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଚାଷୀ କହିଛନ୍ତି। ଜଳ ଭଣ୍ଡାରରେ ଅଳ୍ପପାଣି ହେତୁ ଚାଷୀଙ୍କ ଦାବିପରେ ୨୨ତାରିଖରେ ଛାଡିବାକୁ ନିଷ୍ପତି ହୋଇଛି। ଏହିପାଣି ମାତ୍ର ୧୫ରୁ ୨୦ଦିନ ପରେ ଖାଲି ହୋଇଯିବ ଆଗକୁ ବର୍ଷା ହେଲେ ପୁଣି ଜଳ ଭଣ୍ଡାରରେ ପାଣି ମହଜୁଦ ରହିବ ବୋଲି କୁହାଯାଇଛି। ଗତକାଲି ଶନିବାର ଅପରାହ୍ନ ସମୟରେ ପଦ୍ମପୁର ବଡ଼ନାଳ କେନାଲ ନିକଟରେ ସମସ୍ତ ପାଣିପଞ୍ଚାୟତର ସଭାପତିମାନଙ୍କ ଉପସ୍ଥିତିରେ ଏକ ଵୈଠକ ଅନୁଷ୍ଠିତ ହୋଇଥିଲା ଏହି ଵୈଠକରେ ତଳ ମୁଣ୍ଡର ଚାଷୀ କିଭଳି ପାଣି ଠିକ ସମୟରେ ପାଇବେ ତାହା ଆଲୋଚନା ହୋଇଥିଲା। ଜଳଭଣ୍ଡାରରୁ ପାଣି କେନାଲ ମାଧ୍ୟମରେ ସୁବ୍ୟବସ୍ଥାରେ ପାଣି ଛଡାଯାଉ ବୋଲି ଚାଷୀ ଏବଂ ପାଣିପଞ୍ଚାୟତର ସଭାପତି ମାନେ କହିଥିଲେ ଏବଂ ମାଇନର, ସବମାଇନର କେନାଲ ସଫା କରିବା ସହ ପାଣି ଛଡାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଏହି ଵୈଠକରେ ବଡ଼ନାଳ ଉପ ନିର୍ବାହୀଯନ୍ତ୍ରୀ,ଗୁଣପୁର କୃଷିଜିଲା ଅଧିକାରୀ, ପଦ୍ମପୁର କୃଷି ଅଧିକାରୀ,ଉଭୟ ଗୁଣପୁର ବିଧାୟକ ଏବଂ ବ୍ଲକଅଧ୍ୟକ୍ଷଙ୍କ ପ୍ରତିନିଧି ଉପସ୍ଥିତ ରହିଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )