ଉଲୁଣ୍ଡା,୧୦/୦୩(ପିପିଟି): ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ ଟାଙ୍ଗରସାହି ଗ୍ରାମରେ ନବ ଦିନାତ୍ମକ ନବାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ମହାନଦୀ ପଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ଗଙ୍ଗା ମାତାଙ୍କୁ ଆବାହନ କରି ଘଣ୍ଟବାଦ୍ୟ,ମହିଳା କୀର୍ତ୍ତନ, ଶଙ୍ଖଧ୍ୱନି ସହ ହରିବୋଲ ହୁଳହୁଳି ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶରେ ବୀରମହାରାଜପୁର ମୁଖ୍ୟ ଛକ ଦେଇ ଜଗନ୍ନାଥ ମନ୍ଦିର ତଥା ସହର ବିଭିନ୍ନ ସାହି ପରିକ୍ରମା କରାଯାଇଥିଲା। ସହର ପରିକ୍ରମା କରି ସାରିବା ପରେ ପୂଜା ମଣ୍ଡପ ଓ ପରାୟଣ ମଣ୍ଡପରେ କଳସ ସ୍ଥାପନ କରାଯାଇଛି । ଏହି ଅବସରରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରା ସାମିଲ ହୋଇଥିଲେ। ଏଥିରେ ରାଜେନ୍ଦ୍ର ମେହେର ସପତ୍ନୀକ କର୍ତ୍ତା ଦାଇତ୍ୱ ତୁଲାଉଥିବା ବେଳେ ମଧୁସୂଦନ ଚାନ୍ଦ ପୂଜା କାର୍ଯ୍ୟ ତୁଲାଇଛନ୍ତି। ଆଜି ଠାରୁ ପ୍ରତ୍ୟେକ ଦିନ ସକାଳ ଠାରୁ ଗ୍ରନ୍ଥ ପଠନ କରାଯିବା ସହିତ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି। ଏଥିରେ ବ୍ୟାସ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ପାରାୟଣ ଗାୟକ ଅଶିତ କୁମାର ଷଡଙ୍ଗୀଙ୍କ ଦ୍ୱାରା ଗ୍ରନ୍ଥ ପଠନ କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରବଚିକା ଶୁଶ୍ରୀ ଗୀତାଞ୍ଜଳି ଜେନା ଓ ପ୍ରବଚକ ଚରଣ ପାର୍ଥ ସାରଥିଙ୍କ ଦ୍ବାରା ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ରହିଅଛି। ଅପରାହ୍ନରେ ସାମୁହିକ ପ୍ରସାଦ ସେବନ ରହିଥିବା ନେଇ ଆୟୋଜକ କମିଟି ପକ୍ଷରୁ ସୁଚନା ଦିଆଯାଇଛି । ଏହି ଅବସରରେ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)