ନଗର ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ।

0 281

ମାଲକାନଗିରି,୦୩/୧୨(ପିପିଟି): ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ନଗର ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ଉପଜିଲ୍ଲାପାଳ ଅକ୍ଷୟ ଖେମୁଣ୍ଡୁ, ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମଙ୍କ ନିମନ୍ତେ ଥିବା ଯୋଜନାର ସହାୟତା ପାଇ ଭିନ୍ନକ୍ଷମମାନେ ସ୍ବାବଲମ୍ବୀ ହୋଇ ପାରିଛନ୍ତି ଏବଂ ଏକ ସମ୍ମାନୀୟ ଜୀବନ ନିର୍ବାହ କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ କଲ୍ୟାଣ ନିମନ୍ତେ ଥିବା ଯୋଜନାକୁ ହିତାଧିକାରୀଙ୍କ ନିକଟରେ ଯୋଗାଇଦେବା ପାଇଁ ଜିଲ୍ଲା ସବୁବେଳେ ପ୍ରସ୍ତୁତ ଅଛି । ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ଦିବ୍ୟାଙ୍ଗଙ୍କ ସାମ୍ବିଧାନିକ ଅଧିକାର ସଂପର୍କରେ ସଚେତନ କରାଇ କହିଥିଲେ ଯେ ଦୃଢ଼ ମାନସିକତା, ଇଚ୍ଛାଶକ୍ତି ଓ ନିଷ୍ଠା ବଜାଇ ରଖିଲେ ଦିବ୍ୟାଙ୍ଗ ମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ଏହି ଅବସରରେ ହିତାଧିକାରୀ ମାନଙ୍କୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ କଲ୍ୟାଣ ଯୋଜନାରେ ହ୍ୱିଲ ଚେୟାର, ଭିନ୍ନକ୍ଷମ ପ୍ରମାଣପତ୍ର, ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ସହାୟତା ରାଶି ପ୍ରଦାନ କରାଯାଇଛି । ଏଠାରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ନାଏକଗୁଡା ସ୍ଵତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.