ଧାର୍ମିକ ଭାବାବେଗ ପ୍ରତି ପ୍ରଶାସନର କୁଠାର ଘାତ ।

0 395

ବ୍ରହ୍ମପୁର,୧୮/୧୦(ପିପିଟି); କୋଭିଡ୍ କଟକଣା ମଧ୍ୟରେ ପବିତ୍ର ଦଶହରା ପର୍ବ ପାଳନ ପାଇଁ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଜ ନିଜ ସ୍ତରରେ ନେଇଥିଲେ ହେଁ ପରବର୍ତ୍ତି ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏ କ୍ଷେତ୍ରରେ ଘୋର ବ୍ୟତିକ୍ରମ ଜନସାଧାରଣ ଓ ଭକ୍ତ ମାନଙ୍କୁ ମର୍ମାହତ କରିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଦେବୀ ଦୁର୍ଗାଙ୍କ ପୂଜା ପାଳନ କରିବାକୁ ନିକଟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପୂଜା କମିଟି ସହ ଆଲୋଚନା କରିଥିଲେ।ମନ୍ଦିର ପରିଚାଳନା କର୍ମକର୍ତ୍ତା, ପୁରୋହିତ ସଂଖ୍ୟାନ୍ୟୁନ ଲୋକଙ୍କୁ ନେଇ ପୂଜା ଆୟୋଜନ ପାଇଁ ସ୍ଥିର ହୋଇଥିଲା।ଏପରିକି ମୂର୍ତ୍ତି ଓ ମଣ୍ଡପ କିଭଳି ଏବଂ କେଉଁ ଆକାରରେ ହେବ ତାହାର ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା। କରୋନା କଟକଣା ଏବଂ ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଦୂର୍ଗା ପୂଜା କମିଟି ନିଜ ନିଜ ସ୍ତରରେ ପ୍ରସ୍ତୁତି ପର୍ବ କରିସାରିଥିଲେ । ମଣ୍ଡପ ନିର୍ମାଣ ଏବଂ ମୂର୍ତ୍ତି ସ୍ଥାପନ ବେଳେ ଗତ କାଲି ନବରାତ୍ର ପ୍ରଥମ ଦିନରେ ହଠାତ୍ ପୁଲିସ ଓ ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୂଜା ବନ୍ଦ କରିଥିଲେ । ଏହା ଲୋକଙ୍କ ଧାର୍ମିକ ଆବେଗ ପ୍ରତି ଏକ ପ୍ରକାର କୁଠାରଘାତ ବୋଲି ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି ମତବ୍ୟକ୍ତ କରିଛନ୍ତି। ଯଦି ପୂଜା ଆଦୌ କରାଯିବାର ନଥିଲା ତେବେ ପ୍ରଶାସନ ମୂଳରୁ କଟକଣା ଜାରି କରିବାରଥିଲା। ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ସତ୍ତ୍ୱେ ହଠାତ କେଉଁ ଅଦୃଶ୍ୟ ଶକ୍ତିର ଇସାରାରେ ବ୍ରହ୍ମପୁରରେ ପୂଜା ଆୟୋଜନ ବନ୍ଦ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟର କଟକ ଭଳି ବଡ ବଡ ସହରରେ ଦୁର୍ଗା ପୂଜା ପାଳନ ନେଇ ଅନୁମତି ଦିଆଯାଇଥିବା ବେଳେ ବ୍ରହ୍ମପୁରରେ ତାର ବ୍ୟତିକ୍ରମ କାହିଁକି । ପ୍ରଶାସନର ଏଭଳି ମନମୁଖୀ ଏବଂ ହିଟଲରୀ ଶାସନକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହାର ଦୃଢ଼ ବିରୋଧ କରିବାକୁ ଦଳମତ ନିର୍ବିଶେଷରେ ଶ୍ରୀ ପତି ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ସାଂସଦ, ବିଧାୟକ ଏବଂ ଅନ୍ୟ ବଡ ଜନ ପ୍ରତିନିଧି ତୁରନ୍ତ ଏହାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇ ଆସିଲେ ବିଜେପି ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପତି କହିଛନ୍ତି ।

Leave A Reply

Your email address will not be published.