ଧାନ ସଂଗ୍ରହ ପ୍ରକ୍ରିୟାର ସମସ୍ୟାକୁ ସୁଧାରିବା ପାଇଁ ବ୍ଲକ୍ ସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ ।

0 660

ଛତ୍ରପୁର,ତା.୧୫/୧୨(ପିପିଟି); ଗଞ୍ଜାମ ଜିଲ୍ଲାର ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖ ଠାରୁ ଆରମ୍ଭ କରାଯିବ । ଧାନ ସଂଗ୍ରହ ପ୍ରକ୍ରିୟାକୁ ଠିକ୍ ପରିଚାଳନା ନିମନ୍ତେ ପ୍ରତି ବ୍ଲକ୍ ରେ ତିନି ଜଣ ଲେଖାଏଁ ନୋଡାଲ୍ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ସେମାନେ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୌଣସି ସମସ୍ୟା ଦେଖାଗଲେ ଏହି ନୋଡାଲ ଅଧିକାରୀଗଣ ଉପସ୍ଥିତ ରହି ସେହି ସମସ୍ୟାର ସମାଧାନ କରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ରେ ଜଣାଇଥିଲେ । ଚଳିତ ବର୍ଷ ଏପ୍.ଏ.କ୍ୟୁ. ଧାନ କ୍ୟୁଣ୍ଟାଲ ପିଛା ୧୮୬୮ ଟଙ୍କାରେ ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମା ଖାତାରେ ଟଙ୍କା ଜମା ହେବ । ଚଳିତ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ୨୦୫୬୭ ଜଣ ଚାଷୀ ନୂତନ ଭାବେ ନାମ ପଞ୍ଜିକରଣ କରିଥିବା ସ୍ଥଳେ ୧୧୯୦୮୧ ଜଣ ଚାଷୀ ନବୀକରଣ କରିଛନ୍ତି । ସମୁଦାୟ ୧୩୯୬୪୮ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ପ୍ରତ୍ୟେକ ଚାଷୀଙ୍କ ଧାନ ନିର୍ଦ୍ଧାରିତ ୩୮୯ ପାକ୍ସ ଏବଂ ୬୪ ଗୋଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହିତ ଟ୍ୟାଗ୍ କରାଯାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ବେଳେ ଗୋଟିଏ ମାତ୍ର ପାଣି ପଞ୍ଚାୟତ ଅଂଶ ଗ୍ରହଣ କରିବ । ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେମିତି କୌଣସି ଠାରେ କୌଣସି ଅପ୍ରିତିକର ପରିସ୍ଥିତି ଦେଖାଦେବ ନାହିଁ ସେ ଦିଗରେ ସମସ୍ତ ପ୍ରସ୍ତୁତି ପୂର୍ବରୁ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ସଂଗ୍ରହ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ହେବ ସେଥି ନିମନ୍ତେ ତତ୍ପରତାର ସହ କାର୍ଯ୍ୟ କରିବାକୁ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସମସ୍ତ ତଥ୍ୟ ଉପସ୍ଥାପନ କରି ଯାହାର ଯାହା ସମସ୍ୟା ରହିଛି ସେ ସବୁ ସମାଧାନ କରିବା ଦିଗରେ ପ୍ରବର୍ତ୍ତାଇ ଥିଲେ ।ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢୀ, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ବ ରଞ୍ଜଡନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢୀ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.