ଧର୍ମଶାଳା ଠାରେ ଦେଶଫାଲ ଲୋକକଳା ମହୋତ୍ସବ-୨୦୨୩ ଉଦଘାଟିତ ।

0 263

ଉଲୁଣ୍ଡା,୦୫/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳାଠାରେ ଚତୁର୍ଥ ଦେଶଫାଲ ମହୋତ୍ସବ-୨୦୨୩ ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ମାଁ କଳାପାଟଙ୍କ ମନ୍ଦିର ଠାରେ ପୂଜାର୍ଚନା ପରେ ଏକ ବିରଟ ମଶାଲ ଶୋଭାଯାତ୍ରା ବାହାରି ମଣ୍ଡପକୁ ନିଆଯାଇଥିଲା । ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ସନ୍ଧ୍ୟାରେ ଦୀପ ପ୍ରଜ୍ବଳନ କରି ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିଥିବା ବେଳେ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଶୁଭ ଉଦଘାଟନ କରି ଗଡଜାତ ଶାସନ ଅମଳରେ ଏହି ଅଞ୍ଚଳର ଲୋକ ସଂସ୍କୃତି ,ଲୋକ କଳା ତାର ଉତ୍କର୍ଷ ଛୁଇଁଥିବା ବେଳେ ଏହାକୁ ବଂଚାଇ ରଖିବା ଓ ଏହାର ପ୍ରଚାର ପ୍ରସାର ଦିଗରେ ସଭିଏଁ ଯତ୍ନବାନ ହେବାକୁ କହିଥିଲେ । ମୁଖ୍ୟ ବକ୍ତା ଭାବେ ଏଡିଏମ (ରାଜସ୍ବ) ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଏମ ଜେନେରାଲ ନିଶି ପୁନମ ମିଞ୍ଜ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର, ବୀରମହାରାଜପୁର ଉପ ଜ଼ିଲ୍ଲାପାଳ ଅଶୋକ କୁମାର ଭୋଇ, ଉଲୁଣ୍ଡା ବିଡ଼ିଓ କରିସ୍ମା ଭେସ୍ରା , ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ,ଦେଶ ଫାଲ କମିଟି ସଭାପତି ପଦ୍ମ ଲୋଚନ ମିଶ୍ର ଯୋଗ ଦେଇ କଳାକାର ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ସଭା ପରେ ପରେ ଉତ୍କଳିୟ ନୃତ୍ୟ ବା ଓଡିଶୀ ନୃତ୍ୟରୁ ଗୀତ ନୃତ୍ୟର ମହାପାର୍ବଣର ଆସର ଆରମ୍ଭ ହୋଇଥିଲା ।ଫୁଲବାଣୀର ନଟରାଜ କଳାମନ୍ଦିରର ଳାକାରମାନେ ଓଡିଶୀ ନୃତ୍ୟରେ କୋଣାର୍କର ଗର୍ବଗୌରବର ଗାଥା ପରିବେଷଣ କରିଥିଲେ । ପରେ ପରେ ଜିଲ୍ଲା ତଥା ଜିଲ୍ଲା ବହାରୁ ଆସିଥିବା କଳାକାର ମାନେ,କରମା, ଡାଲଖାଇ,ରୁମକୁ ଝୁମାନା, ରସରକେଲି,ମାଇଲାଜଡ଼,ନୃତ୍ୟ ପରିବେଷଣ କରି ନିଜ ନିଜର ଲୋକନୃତ୍ୟ ପରିବେଷଣ କରିଥିଲେ। ଲୋକ ଗୀତ ନୃତ୍ୟରେ ବିଳମ୍ବିତ ରାତି ଯାଏ କଳାକାରମାନେ ଦର୍ଶକ ଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ ।ପ୍ରାୟ ଦୁଇ ବର୍ଷ ପରେ ଏହି ମହୋତ୍ସବରେ ସାମିଲ ହୋଇ ଦେଖଣାହାରୀ ଯେତିକି ମନୋରଂଜନ ନେଇଥିଲେ କଳାକାରମାନେ ବି ବେଶ ଖୁସି ବ୍ୟକ୍ତ କରିଥିଲେ । ତେବେ ମହାମାରୀର ପ୍ରଭାବ ପରେ ଆୟୋଜିତ ଏହି ଦେଶଫାଲ ମହୋତ୍ସବର ଆୟୋଜକ କମିଟିକୁ ବୁଦ୍ଧିଜୀବୀ ଓ ଦର୍ଶକ ବେଶ ପ୍ରଶଂସା କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.