ବ୍ରହ୍ମପୁର,୨୬/୦୮(ପିପିଟି): ଶିକ୍ଷକତା ଭଳି ସମ୍ମାନୀୟ ବୃତ୍ତି କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ଵାରା କଳୁଷିତ ହେବାରେ ଲାଗିଛି। ସମାଜରେ ଏଥି ପାଇଁ ଶିକ୍ଷକଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଗଞ୍ଜାମ,ଗଜପତି, କନ୍ଧମାଳ,ରାୟଗଡ଼ା, ନବରଙ୍ଗ ପୁର,କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ରାକେଟର ପରଦାଫାସ ପାଇଁ ସାମାଜିକ କର୍ମୀ ସମରଜିତ ମହାନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ, କ୍ରାଇମବ୍ରାଞ୍ଚ, ଭିଜଲାନ୍ସ ଓ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସଂପ୍ରତି ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଧରାକୋଟ ବ୍ଲକର ଓଳମ୍ବା ପଞ୍ଚାୟତର ନୂଆବାଲି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଲେବେଲ ୫ ର ଶିକ୍ଷକ ସନାତନ ନାୟକ ଗତ୧୩/୫/୧୧ ତାରିଖରୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇ ୧୩/୫/୧୭ ତାରିଖରୁ ରେଗୁଲାର ଶିକ୍ଷକ ଭାବେ କ୍ୟାର୍ଯ୍ୟ କରିଆସୁଥିଲେ । ସୂଚନା ଆଇନ କର୍ମୀଙ୍କ ଅଭିଯୋଗ ପରେ ଧରାକୋଟ ବିଇଓ କୋରେଶ ସେଠୀ ଏହା ଉପରେ ଅନୁସନ୍ଧାନ କରିବା ବେଳେ ସଂପୃକ୍ତ ଶିକ୍ଷକଙ୍କ ଯୁକ୍ତ ଦୁଇ ଓ ସିଟି ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଥିଲା । ଏ ସମ୍ପର୍କରେ ବିଇଓ ବଡଗଡ ଥାନା ରେ ଗତ ୨୫/୦୮/୨୨ ତାରିଖରେ ଏତଲା ଦେବାପରେ ସଂପୃକ୍ତ ନକଲି ଶିକ୍ଷକଙ୍କୁ ଧରାକୋଟ ପୋଲିସ ସହାୟତାରେ ବଡଗଡ ପୋଲିସ ଗିରଫ କରିଛି ଏବଂ ଆସନ୍ତା ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁରଜ୍ କୁମାର ଝଙ୍କାର ପ୍ରକାଶ କରିଛନ୍ତି।