ବୋଲଗଡ଼,୨୫/୦୯(ପିପିଟି):ବାଇଚଢ଼େଇ ରେ ବାଇଚଢ଼େଇ ତୋ ମାଆ ଯାଇଚି ଗାଇଚରେଇ । ବାଆ ବତାସକୁ ନାହିଁ ଡର ଏଇତ ବାଇଚଢ଼େଇ ଘର । ଅତୀତକୁ ମନେପକେଇଲେ ଅଝଟ ହୋଇ ରାହା ଧରି କାନ୍ଦୁଥିବା କୁନି କୁନି ଛୁଆଙ୍କୁ ମାଆମାନେ ବାଇଚଢ଼େଇ ଗୀତ ଗାଇ ଶୁଆଇ ଦେଉଥାନ୍ତି । ଏବେ ଆଧୁନିକତାର ଭିତରେ ମାଆମାନେ ଭୁଲିଗଲେଣି ବାଇଚଢ଼େଇ ଓ ନାନାବାୟା ଗୀତ । ପୂର୍ବରୁ ନିଜେ ଶୁଣି ଆମୋଦିତ ହେଉଥିଲେ କିନ୍ତୁ ଆଜି ନିଜ ପିଲାଙ୍କୁ ଶୁଣାଇବାକୁ କୁଣ୍ଠାବୋଧ । ବାଇଚଢ଼େଇ ର ସେଇ ବାୟାବଶା କୁ ଦେଖି କବି , ଗାଳ୍ପିକ ମନରେ ଆସିଥାଏ ଅସରନ୍ତି ଭାବନା ଆଉ ସୃଷ୍ଟି ହୋଇଥାଏ ମନମୁଗ୍ଧକର କବିତା ଓ ଗଳ୍ପର ସମ୍ଭାର । ହେଲେ ଆଜିର ଦିନରେ ଶୁଭୁନି ଆଉ କାହା ମୁହଁରୁ ବାଇଚଢ଼େଇ ର ସେଇ ନାନାବାୟା ଗୀତ କି ଗଛ ଡାଳରେ ଦେଖିବାକୁ ମିଳୁନାହିଁ ବାଇଚଢ଼େଇ ର ଓଲଟା ଝୁଲୁଥିବା ବସା । ବାଇଚଢ଼େଇ ତିଆରି କରିଥିବା ବସାର ନିର୍ମାଣ ଶୈଳୀ ଏତେ ଉନ୍ନତ ଆଉ ଶକ୍ତ ଯେ ଝଡ଼ ବତାସକୁ ମଧ୍ୟ ଖାତିର ନଥାଏ । ପବନରେ ଦୋହଲି ଦୋହଲି ଦୋଳି ଖେଳୁଥାଏ ବାଇଚଢ଼େଇ ର ଏହି ତଳମୁହାଁ ବାୟାବଶା ତାର ମନ ଆଉ ମୂର୍ଚ୍ଛନାରେ ଆନନ୍ଦିତ ହେଉଥାଏ । କେତେ ଯତ୍ନରେ ଥଣ୍ଟରେ ବୋହିଆଣି ଧର୍ଯ୍ୟର ସହ ତିଆରି କରିଥାଏ ଛୋଟିଆ ବସା । ସେହି ବସା ତା ପାଇଁ ରାଜମହଲ ଠାରୁ ବଡ଼ ଏବଂ ତାର ବାଆବତାସ ର ସାହାଭାରସା । ବାଇଚଢ଼େଇ ର ତିଆରି କରିଥିବା ବସା ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରେରଣା ଦେଇଥାଏ । ବାଇଚଢ଼େଇ କୁ ମଧ୍ୟ କୃଷକର ବନ୍ଧୁ ମଧ୍ୟ କୁହାଯାଏ । କାରଣ ସେ ଚାଷୀର ସୁନାଫସଲ ରେ ଲାଗୁଥିବା ପୋକ ବାଇଚଢ଼େଇ ଖାଦ୍ୟ ଭାବେ ଖାଇଥାଏ । ହେଲେ ଆଜିର ଆଧୁନିକ ସମାଜରେ ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ବିକାଶର ଗାଡ଼ି ଦ୍ରୁତ ଗତିରେ ଗଡୁଛି । ଆଜିର ମଣିଷ ବଣ ଜଙ୍ଗଲ କାଟି କେଉଁଠି ରାସ୍ତା ନିର୍ମାଣ କରୁଛି ତ କେଉଁଠି ଶିଳ୍ପାୟନ ପୁଣି କେଉଁଠି ଗଢ଼ି ଉଠୁଚି ଦୋକାନ ବଜାର ତ କେଉଁ କେଉଁ ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକା । ଏହି ଆଧୁନିକତାର କାରଣରୁ କ୍ରମଶଃ ଲୋପ ପାଇବାରେ ଲାଗିଛନ୍ତି ବିରଳ ପ୍ରଜାତିର ଜୀବଜନ୍ତୁ ଏବଂ ପଶୁପକ୍ଷୀ । ଏହି କ୍ରମରେ ଗାଁ ଦାଣ୍ଡରେ ଆଉ କାନରେ ବାଜୁନି ବାଇଚଢ଼େଇ ର କିଚିରି ମିଚିରି ଶବ୍ଦରେ ଭରା ସକାଳ ଆଉ ସନ୍ଧ୍ୟା କାଳୀନ ସୁମଧୁର ସଙ୍ଗୀତ । ସାଧାରଣତଃ ଉଚ୍ଚା ଉଚ୍ଚା ଗଛ ଯଥା ତାଳ , ନଡ଼ିଆ , ଖଜୁରୀ ଇତ୍ୟାଦି ଗଛ ଉପରେ ତିଆରି କରିଥାଏ ତାର ସେହି ଅନନ୍ୟ ତାଳମୁହାଁ ବାୟାବଶା । ପୂର୍ବରୁ ବହୁ ସ୍ଥାନରେ ଦେଖିବାକୁ ମିଳୁଥିଲା ବାଇଚଢ଼େଇ ର ବାୟାବଶା ଏବେ ଆଧୁନିକତାକୁ ନେଇ ଲୋପ ପାଇବାକୁ ବସିଲାଣି । ଏହି ଚିନ୍ତାରେ ପରିବେଶବିତ୍ , ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ । ଏକ ପ୍ରକାରର ଲୋପ ପାଇବାକୁ ବସିଥିବା ବାଇଚଢ଼େଇ ପ୍ରଜାତିର ପକ୍ଷୀ ସୁରକ୍ଷା ଦିଗରେ ସରକାରଙ୍କ ପକ୍ଷରୁ ଯଦି ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ବିଲୁପ୍ତ ହେବା ପୂର୍ବରୁ ରକ୍ଷା ପାଇପାରନ୍ତେ । ତେଣୁ ସୁରକ୍ଷା ଦିଗରେ ସରକାର ସାମାନ୍ୟ ସତର୍କ ହେଲେ ଲୋପ ପାଇବାରୁ ବର୍ତ୍ତିଯାଇପାରନ୍ତେ ବାଇଚଢ଼େଇ ଏବଂ ଅନ୍ୟ ପ୍ରଜାତିର ପକ୍ଷୀ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)