ଉଲୁଣ୍ଡା,୨୭/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ,ଭଉଣୀ ଦେବୀ ସୁଭଦ୍ରା ଓ ଭାଇ ବଳଭଦ୍ର ଙ୍କର ଆଜି ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ତେବେ କରୋନା କଟକଣା ଦୃଷ୍ଟିରୁ ସୀମିତ ସଂଖ୍ୟକ ସେବାୟତ ଓ ଶ୍ରଦ୍ଧାଳୁ ଙ୍କ ବିନା ଏ ବେଶ ଅନୁଷ୍ଠିତ ହୋଇଥିବାବେଳେ ଆଜି ଭୋର ସକାଳ ସାଢେ ୪ ରେ ଦ୍ୱାରଫିଟା ପୂଜା ପରେ ପରେ ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା,ସକାଳ ଧୂପ,ମଙ୍ଗଳ ଆଳତି ହୋଇସରିଲା ପରେ ମହାପ୍ରଭୁ ରତ୍ନ ସିଂହାସନରେ ନାଗାର୍ଜୁନ ବେଶର ଦିବ୍ୟ ଆଭୂଷଣରେ ସଜ୍ଜିତ ହୋଇଥିଲେ। ଶ୍ରୀଜୀଉ ମାନଙ୍କୁ ଶ୍ରୀଭୁଜ,ଶ୍ରୀପୟର,କିରୀଟ,ମକରକୁଣ୍ଡଳ,ନାକଚଣା,ଚିତା,ଆଡକାନି,ଝୁମ୍ପା,ଅଧରମାଳା,ହୃଦମାଳା,ପୟରମାଳା ଆଦି ବିଭିନ୍ନ ଅଳଙ୍କାରରେ ସହ ନାଗାର୍ଜୁନ ବେଶ ଲାଗିରେ ମହାପ୍ରଭୁ ବୀରବେଶରେ ସଜେଇ ହୋଇଥିଲେ । କରୋନା କଟକଣା ନିୟମ ଅନୁଯାୟୀ ବିନା ଭକ୍ତରେ ମହାପ୍ରଭୁଙ୍କର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ତତ୍ୱବାଧାନରେ ଚିତ୍ତରଞ୍ଜନ ପାଢ଼ୀ, ଗୁଣାକାର ପଣ୍ଡା,ସୁଧୀର ପୁରୋହିତ,ଚନ୍ଦନ ପାଢ଼ୀ,ପ୍ରଦ୍ୟୁମ୍ନ ପାଢ଼ୀ ପ୍ରମୁଖ ସେବାୟତ ବେଶ କାର୍ଯ୍ୟ ତୁଲାଇଥିଲେ । ଆସନ୍ତା କାଲି ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )