ବ୍ରହ୍ମପୁର,୦୯/୦୮(ପିପିଟି):ୱେବ ପୋର୍ଟାଲ ଦୁର୍ନୀତି ଲାଇଭ ରେ ପ୍ରସାରିତ “ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟର ରାକେଟ ମୁଖ୍ଯ ପ୍ରଦୀପ ସେଠୀ ଗିରଫ କେବେ?”ଖବରକୁ ସିପିଆଇ ଯୁବ ନେତା ପ୍ରଦୀପ ସେଠୀ ଭିତ୍ତିହୀନ ଓ କାମଳ ସାମ୍ବାଦିକତା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବ୍ରହ୍ମପୁର ସିପିଆଇ କାର୍ଯ୍ଯାଳୟ ଠାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ଯୁବ ସଂଘର ରାଜ୍ଯ ସଭାପତି ପ୍ରଦୀପ ସେଠୀ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ଘଟଣା ୨୦୧୯ ମସିହାରୁ ଆରମ୍ଭ ହେଲାଣି। ବିଭିନ୍ନ ଗଣ ସଂଗଠନ ଓ ସମାଜସେବୀ ମାନେ ଆଜି ପର୍ଯ୍ୟନ୍ତ ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଆଣିଛନ୍ତି। ପ୍ରାୟ ୬୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। କେତେକ ଗିରଫ ହୋଇ ଜେଲ ଯାଇ ଜାମିନରେ ଆସିଲେଣି। ପୁଲିସ ମଧ୍ଯ ତଦନ୍ତ କରୁଛି। ଜାଲ ସାର୍ଟିଫିକେଟ ରାକେଟ ରେ ମୋର ଭୂମିକା ନଥାଇ ଅଯଥାରେ ମୋତେ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ଜାଲ ସାର୍ଟିଫିକେଟ କେଉଁଠୁ ଆସୁଛି ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ତାହା ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଶ୍ରୀ ସେଠୀ ଦାବୀ କରିଛନ୍ତି। କାମଳ ସାମ୍ବାଦିକତା ସମାଜ ପାଇଁ ବିପଦ। ଦୁର୍ନୀତି ଲାଇଭର ମିଥ୍ଯା ଖବର ପ୍ରସାରଣ ବିରୁଦ୍ଧରେ ଅଦାଲତରେ ମାନହାନୀ ମକଦ୍ଦମା ରୁଜୁ କରିବେବେ ବୋଲି ଶ୍ରୀସେଠୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ନେତା ରୋହିତ ବିଷୋୟୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଆରତ କୁମାର ହୋତା। )